ଭୁବନେଶ୍ୱର: ଭୁବନେଶ୍ୱରରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଫରେନ୍ ଟ୍ରେଡ୍ (ଆଇଆଇଏଫ୍ଟି) ପ୍ରତିଷ୍ଠା ଲାଗି ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୫ ଏକର ଜମି ଓ ଭିତ୍ତିଭୂମି ପାଇଁ ୫ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି। ଗତ ୩ ତାରିଖରେ ଅପରାଜିତା ଷଡ଼ଙ୍ଗୀ ଏନେଇ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସହ ଆଲୋଚନା କରିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଆଇଆଇଏଫ୍ଟି ଭଳି ପ୍ରେଷ୍ଚିଜିୟସ୍ ଇନ୍ଷ୍ଟିଚ୍ୟୁଟ୍ ପାଇଁ ମାଗଣାରେ ଜମି ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ଅନେକ ରାଜ୍ୟ ସରକାର ଘୋଷଣା କରିସାରିଛନ୍ତି। ତେଣୁ ଓଡ଼ିଶା ସରକାର ମଧ୍ୟ ଏଦିଗରେ ପଦକ୍ଷେପ ନେବାକୁ ଅପରାଜିତା ଅନୁରୋଧ କରିଛନ୍ତି। ଏହି ଶିକ୍ଷାନୁଷ୍ଠାନ ଖୋଲିଲେ ରାଜ୍ୟରେ ଶିକ୍ଷାର ବିକାଶ ହେବାସହ ରୋଜଗାର ସୁବିଧା ବଢ଼ିବ ବୋଲି ସେ କହିଛନ୍ତି।