Politics

ଆଇସିୟୁରେ ଜେଟ୍‌ଲୀ, ଏମ୍ସ ପହଞ୍ଚିଲେ ମୋଦି, ଶାହ ଏବଂ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ମଧ୍ୟାହ୍ଣରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ କାର୍ଡିୟୋଲଜି ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍‌ ଚିକିତ୍ସା ଯୋଗାଇ ଦେଉଛନ୍ତି। ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ବର୍ତ୍ତମାନ ତାଙ୍କୁ ଆଇସିୟୁରେ ରଖାଯାଇଥିବା ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଏମ୍ସରେ ପହଞ୍ଚି ଶ୍ରୀ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ଏହା ପୂର୍ବରୁ ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ବାଚସ୍ପତି ଓମ୍‌ ବିର୍ଲାଙ୍କ ସହ ଦିଲ୍ଲୀ ଏମ୍‌ସଠାରେ ପହଞ୍ଚିଥିଲେ। ଗତବର୍ଷ ଅର୍ଥମନ୍ତ୍ରୀ ଥିବା ବେଳରୁ ହିଁ ଶ୍ରୀ ଜେଟଲୀ ବାରମ୍ବାର ଅସୁସ୍ଥ ହୋଇପଡୁଥିଲେ। ଏଥିପାଇଁ ସେ ୩ ମାସ ପାଇଁ ଆମେରିକା ଯାଇ କିଡ୍‌ନୀ ପ୍ରତିରୋପଣ କରିଥିଲେ। ୨୦୧୪ ମସିହାରେ ସେ ବାରିଆଟ୍ରିକ୍‌ ସର୍ଜରୀ ମଧ୍ୟ କରାଇଥିଲେ। କ୍ରମାଗତ ଅସୁସ୍ଥତା କାରଣରୁ ସେ ନିର୍ବାଚନ ଲଢ଼ି ନଥିଲେ କିମ୍ବା ତାଙ୍କୁ ଅଫର୍ କରାଯାଇଥିବା ମନ୍ତ୍ରୀ ପଦ ମଧ୍ୟ ଗ୍ରହଣ କରିନଥିଲେ।

ବଡ଼ ବଡ଼ ପ୍ରସଙ୍ଗରେ ମୋଦି ସରକାରଙ୍କ ପାଇଁ ସଙ୍କଟମୋଚନକାରୀ ଦାୟିତ୍ୱ ତୁଲାଇ ଆସିଛନ୍ତି। ଅର୍ଥନୈତିକ ବ୍ୟାପାର ବ୍ୟତୀତ ସରକାରଙ୍କ ଅନ୍ୟ ପଦକ୍ଷେପକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଲେ ଜେଟଲୀ ହିଁ ଫେସବୁକ୍‌ ପୋଷ୍ଟ ଓ ସାମ୍ବାଦିକ ସମ୍ମିଳନୀରେ ଏହାର ମୁକାବିଲା କରିଆସିଛନ୍ତି। ୨୦୧୯ରେ ବିଜେପିର ବୃହତ୍‌ ବିଜୟ ପରେ ସେ ନିଜ ଆଡ଼ୁ ମୋଦିଙ୍କୁ ଚିଠି ଲେଖି ତାଙ୍କୁ ମନ୍ତ୍ରୀ ନକରିବାକୁ ଅନୁରୋଧ କରିଥିଲେ।

ସେ ଲେଖିଥିଲେ, “ମୁଁ ଅନୁରୋଧ କରୁଛି ମୋତେ ଏବେ ମୋ ନିଜ ପାଇଁ, ମୋ ଚିକିତ୍ସା ପାଇଁ ଏବଂ ମୋ ସ୍ୱାସ୍ଥ୍ୟ ପାଇଁ ସମୟ ଦେବାକୁ ଅନୁମତି ଦିଆଯାଉ। ବର୍ତ୍ତମାନ ମୁଁ ସରକାରରେ କୌଣସି ଦାୟିତ୍ୱ ତୁଲାଇ ପାରିବି ନାହିଁ।” ତାଙ୍କର ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ରହିଥିବା ସେ ଏହି ଚିଠିରେ ଦର୍ଶାଇଥିଲେ।

Related Articles

error: Content is protected !!
Close