ଭୁବନେଶ୍ୱର : ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ଏଥିରେ ଓଡ଼ିଶାରେ ୬ଟି ଲୋକସଭା ଓ ୪୧ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବ ମତଦାନ। ଆଉ ସିଲ୍ ହେବ ହେଭିୱେଟ୍ଙ୍କ ଭାଗ୍ୟ।
ପ୍ରାର୍ଥୀ ତାଲିକା ଘୋଷଣା ପରଠାରୁ ଚର୍ଚ୍ଚାରେ ରହିଛି କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର। ଏଠାରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେଡିର ଅନୁଭବ ମହାନ୍ତି ଓ କଂଗ୍ରେସରୁ ଧରଣୀଧର ନାୟକ। ଜଗତସିଂହପୁରରେ ବିଜେପିର ବିଭୁ ପ୍ରସାଦ ତରାଇ, ବିଜେଡିର ରାଜଶ୍ରୀ ମଲ୍ଲିକ ଓ କଂଗ୍ରେସର ପ୍ରତିମା ମଲ୍ଲିକଙ୍କ ମଧ୍ୟରେ ହେଉଛି ମୁକାବିଲା। ସେହିପରି ବାଲେଶ୍ୱରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀ। ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ରବୀନ୍ଦ୍ର ଜେନା ଓ କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ।
ବିଧାନସଭା ଆସନ ମଧ୍ୟରୁ ସାଲେପୁରରୁ ପୁଣି ଥରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ବିଜେପିର ପ୍ରକାଶ ବେହେରା। ତାଙ୍କୁ ଟକ୍କର ଦେଉଛନ୍ତି ବିଜେଡିର ପ୍ରଶାନ୍ତ ବେହେରା ଓ କଂଗ୍ରେସର ରବୀନ୍ଦ୍ରନାଥ କର। ସେହିପରି ମାହାଙ୍ଗାରେ ଜବରଦସ୍ତ ମୁକାବିଲା ହେଉଛି। ବିଜେପିର ସାରଦା ପ୍ରଧାନ, ବିଜେଡିର ମନ୍ତ୍ରୀ ପ୍ରତାପ ଜେନା ଓ କଂଗ୍ରେସରୁ ଦେବେନ୍ଦ୍ର ସାହୁଙ୍କ ମଧ୍ୟରେ ହେଉଛି ଲଢ଼େଇ। କେନ୍ଦ୍ରାପଡ଼ା ଆସନରୁ ଭାଗ୍ୟ ପରଖୁଛନ୍ତି ବିଜେପିର ସୁନାକର ବେହେରା, ବିଜେଡିରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ କଂଗ୍ରେସରୁ ବରିଷ୍ଠ ନେତା ଗଣେଶ୍ୱର ବେହେରା।
ଆଳିରେ ବିଜେପିର ଦୋଳଗୋବିନ୍ଦ ନାୟକ, ବିଜେଡି ସାଂସଦ ପ୍ରତାପ ଦେବ ଓ କଂଗ୍ରେସର ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ମଧ୍ୟରେ ହେଉଛି ଟକ୍କର।