ଏଣିକି ୭ଘଣ୍ଟିଆ ଡ୍ୟୁଟି କରିବାକୁ ଅଧ୍ୟାପକ ଓ ପ୍ରିନ୍ସିପାଲ ବାଧ୍ୟ

ଭୁବନେଶ୍ୱର  : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲ ଏଣିକି ସମସ୍ତ କାର୍ଯ୍ୟଦିବସରେ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି କରିବା ପାଇଁ ବାଧ୍ୟ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ ନକଲେ ତାକୁ ସରକାର ଗୁରୁତ୍ୱର ସହ ବିଚାରକୁ ନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି।

ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଜି ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର, ସରକାରୀ ଓ ବେସରକାରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ଅଧ୍ୟାପକମାନଙ୍କ ପାଇଁ ସର୍ବନିମ୍ନ ୭ଘଣ୍ଟା ଡ୍ୟୁଟି ଓ ଛାତ୍ରଛାତ୍ରୀଙ୍କ କ୍ଲାସରେ ୭୫% ଉପସ୍ଥାନ ନିୟମ କଡ଼ାକଡ଼ି ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାଦାନ ବ୍ୟବସ୍ଥାରେ ସୁଧାର ପାଇଁ ରାଜ୍ୟରେ ଥିବା ସବୁବର୍ଗର କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ପ୍ରିନ୍ସିପାଲମାନେ ଏଣିକି ସମସ୍ତ ସରକାରୀ କାର୍ଯ୍ୟଦିବସରେ ୭ଘଣ୍ଟା ଡ୍ୟୁଟି କରିବେ। ଶିକ୍ଷାଦାନ ସହ ଅଧ୍ୟାପକମାନଙ୍କୁ ଏଣିକି ଲାଇବ୍ରେରୀ, ଗବେଷଣା, ବିଳମ୍ବରେ ନାଁ ଲେଖାଇଥିବା ପିଲାଙ୍କ ପାଇଁ ଏକ୍ସଟ୍ରା କ୍ଲାସ୍ , ଗରିବ ପିଲାଙ୍କ ପାଇଁ ଅତିରିକ୍ତ କ୍ଲାସ , ଛାତ୍ରଛାତ୍ରୀଙ୍କ ଉପସ୍ଥାନ ତଦାରଖ, ଶିକ୍ଷାଦାନ ଓ କଲେଜର ଅନ୍ୟାନ୍ୟ କାର୍ଯ୍ୟକ୍ରମରେ କଲେଜ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ୭ଘଣ୍ଟା ଡ୍ୟୁଟି ନିୟମ ‘ଅତିଥି ଅଧ୍ୟାପକ’ଙ୍କ ପାଇଁ ଲାଗୁ ହେବନାହିଁ।

error: Content is protected !!