Business

ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି।

ଭୁବନେଶ୍ୱର: ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧି ପାଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ଅଭିବୃଦ୍ଧି ହାର ୮.୪ ପ୍ରତିଶତ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ଆଜି ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି।

ଗତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ଥିବା ବେଳେ ୨୦୧୮-୧୯ରେ ଏହା ଆଉ ୧ ପ୍ରତିଶତ ବଢ଼ିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ଦର୍ଶାଉଛି ଯେ ପ୍ରତିବର୍ଷ ରାଜ୍ୟ କେବଳ ଅଭିବୃଦ୍ଧି କରୁନି ରାଜ୍ୟର ଅଭିବୃଦ୍ଧି ହାର ମଧ୍ୟ ବଢ଼ୁଛି।

ଗତ ୫ ବର୍ଷର ଅର୍ଥନୈତିକ ଅଭିବୃଦ୍ଧି ହାର ତର୍ଜମାରୁ ଜଣାପଡ଼ିଛି ରାଜ୍ୟର ଅଭିବୃଦ୍ଧି ହାର ହରିୟାଣା, ପଞ୍ଜାବ, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭଳି ରାଜ୍ୟକୁ ପଛରେ ପକାଇଛି। ଯାହାକି ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

ସେହିପରି କୃଷି କ୍ଷେତ୍ରରେ ପାଖାପାଖି ୪୮ ପ୍ରତିଶତ ଶ୍ରମ ନିଯୁକ୍ତି ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। କୃଷିକ୍ଷେତ୍ରରୁ ଘର ପିଛା ମାସିକ ଆୟରେ ମଧ୍ୟ ବୃଦ୍ଧି ଘଟିଛି। ୨୦୧୨-୧୩ରେ କୃଷିକ୍ଷେତ୍ରରୁ ମାସିକ ଘରୋଇ ଆୟ ୪,୯୭୬ ଟଙ୍କା ଥିବା ବେଳେ ୨୦୧୬-୧୭ରେ ଏହା ୭,୭୩୧ ଟଙ୍କାକୁ ବୃଦ୍ଧି ପାଇଥିବା ରିପୋର୍ଟ ଦର୍ଶାଯାଇଛି। ସ୍ୱାସ୍ଥ୍ୟ, ଜୀବନ ଧାରଣ ମାନ ଓ ନିରାପତ୍ତା କ୍ଷେତ୍ରରେ ମଧ୍ୟ ବିକାଶ ହୋଇଛି।

ଶିଶୁ ମୃତ୍ୟୁହାର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କମ୍ ରହିଛି। ୧୯୯୮-୯୯ରୁ ୨୦୧୫-୧୬ ମଧ୍ୟରେ ଏହା ୪୧ ପଏଣ୍ଟ ହ୍ରାସ ପାଇଛି।   ଅନ୍ୟପକ୍ଷରେ ଓଡ଼ିଶାରେ ସାକ୍ଷରତା ହାର ବିଗତ ଦଶନ୍ଧିରେ ଦ୍ରୁତ ଗତିରେ ବଢ଼ିଛି। ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ବ୍ୟାପକ ଉନ୍ନତି ଆସିଛି।

Related Articles

error: Content is protected !!
Close