ଭୁବନେଶ୍ୱର: କେନ୍ଦ୍ର ବଜେଟ ଆଗତ ହେବାର ୨୪ ଘଣ୍ଟା ବିତିଗଲା ପରେ ବି ବଜେଟରେ ଓଡ଼ିଶାକୁ କେତେ ଲାଭ ମିଳିବ ବା କ୍ଷତି ସହିବାକୁ ପଡ଼ିବ, ସେ ନେଇ ରାଜ୍ୟ ସରକାର ମୁହଁ ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟ୍ ଉପରେ ମୋଟାମୋଟି ପ୍ରତିକ୍ରିୟା ଦେଇଥିବାବେଳେ କେନ୍ଦ୍ରୀୟ ବଜେଟରେ ଓଡ଼ିଶାର ଲାଭକ୍ଷତିର ତୁଳନାତ୍ମକ ଚିତ୍ର ରଖିବାରେ ରାଜ୍ୟ ଅର୍ଥ ବିଭାଗ ପଛଘୁଞ୍ଝା ଦେଇଛି। ତେବେ କେନ୍ଦ୍ର ସରକାରଙ୍କ କାମଚଳା ବଜେଟକୁ ଦୃଷ୍ଟିରେ ରଖି ଓଡ଼ିଶା ପ୍ରସ୍ତୁତ କରିଥିବା ୨୦୧୯-୨୦ ମସିହାର ପୂର୍ଣ୍ଣାଙ୍ଗ ବଜେଟ ଏବେ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି। ଅବଶ୍ୟ ଗତ ଆର୍ଥିକ ବର୍ଷ ତୁଳନାରେ ଓଡ଼ିଶାକୁ ଏଥର କେନ୍ଦ୍ରୀୟ ଟିକସ ବାବଦରେ ଅଧିକ ୨୨୦୬ କୋଟି ଟଙ୍କା ମିଳିବ।
କେନ୍ଦ୍ର ବଜେଟରେ ଓଡ଼ିଶାକୁ କେତେ ଟିକସ ଅର୍ଥ ମିଳିବ, ତା’ର ଏକ ତୁଳନାତ୍ମକ ଚିତ୍ର ଆଜି ଗଣମାଧ୍ୟମ ପ୍ରତିନିଧିମାନେ ଚାହିଁଥିଲେ ମଧ୍ୟ ରାଜ୍ୟ ଅର୍ଥ ବିଭାଗ ଏହା ଦେବାକୁ ସିଧାସଳଖ ମନା କରିଦେଇଛି। ଅନ୍ୟପକ୍ଷରେ ରାଜ୍ୟ ବଜେଟ୍ ପ୍ରସ୍ତୁତିି ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟରେ ପ୍ରାୟ ୩୮୫୩ କୋଟି ଟଙ୍କାର କେନ୍ଦ୍ରୀୟ ଟିକସ ପାଇବି ବୋଲି ଓଡ଼ିଶା ଆକଳନ କରିଛି। ମାତ୍ର କେନ୍ଦ୍ର ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟରେ ଓଡ଼ିଶାକୁ କେନ୍ଦ୍ରୀୟ ଟିକସ ବାବଦକୁ ଏହି ଆକଳନ ଠାରୁ ପ୍ରାୟ ୧୬୪୭ କୋଟି ଟଙ୍କା କମ୍ ମିଳିବ। ଅବଶ୍ୟ ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ୨୨୦୬ କୋଟି ଟଙ୍କାର ଅଧିକ କେନ୍ଦ୍ରୀୟ ଟିକସ ମିଳିବ। କେନ୍ଦ୍ର ସରକାର ନିଜର କାମଚଳା ବଜେଟ (୨୦୧୯-୨୦)ରେ ଆକଳନ କରିଥିବା ଟିକସ ସଂଗ୍ରହ ପରିମାଣ ପୂର୍ଣ୍ଣାଙ୍ଗ ବଜେଟରେ ପ୍ରାୟ ୩୫ହଜାର କୋଟି ଟଙ୍କା ହ୍ରାସ ପାଇଥିବାରୁ ଓଡ଼ିଶା ସମେତ ସବୁ ରାଜ୍ୟକୁ ସେହି ଅନୁପାତରେ କେନ୍ଦ୍ରୀୟ ଟିକସ ମିଳିବ। କାମଚଳା ବଜେଟ୍ ତୁଳନାରେ ପୂର୍ଣ୍ଣାଙ୍ଗ ବଜେଟରେ ସର୍ବଭାରତୀୟସ୍ତରରେ କେନ୍ଦ୍ରୀୟ ଟିକସ ସଂଗ୍ରହ ହ୍ରାସ ଆକଳନ ଯୋଗୁ ଉତ୍ତରପ୍ରଦେଶକୁ ସର୍ବାଧିକ ୬୩୭୦କୋଟି ଟଙ୍କା, ମଧ୍ୟପ୍ରଦେଶକୁ ୨୬୮୩କୋଟି, ବିହାରକୁ ୩୪୨୯କୋଟି, ପଶ୍ଚିମବଙ୍ଗକୁ ୨୫୯୭ କୋଟି,ମହାରାଷ୍ଟ୍ରକୁ ୧୯୫୮ କୋଟି ଟଙ୍କା କମ୍ କେନ୍ଦ୍ରୀୟ ଟିକସ ମିଳିବ। ତେଣୁ ଓଡ଼ିଶା ସରକାର ନିଜ ବଜେଟରେ ଯେତିକି ଆକଳନ କରିବେ ସେତିକି ଅର୍ଥ କେନ୍ଦ୍ରରୁ ଯେ ମିଳିବ, ତାହା ଆଶା କରିବା ଭୁଲ ହେବ। ତେବେ କେନ୍ଦ୍ରୀୟ ଟିକସ କମ୍ ମିଳିବାକୁ ଥିବାରୁ ରାଜ୍ୟ ସରକାର ପୂର୍ବବର୍ଷ ଭଳି କେତେକ ବିଭାଗକୁ ଆବଣ୍ଟିତ ଅର୍ଥକୁ ଅନ୍ୟତ୍ର କାର୍ଯ୍ୟକ୍ରମ ବା ଯୋଜନାକୁ ସ୍ଥାନାନ୍ତର କରିବାର ସମ୍ଭାବନା ରହିଛି।