ଖୋର୍ଦ୍ଧା ଜିଲ୍ଲାରେ ଧୂମପାନ ମୁକ୍ତ ସ୍କୁଲ ପ୍ରହସନ : ସ୍କୁଲ ନିକଟରେ ଖୋଲାଖୋଲି ବିକ୍ରି ହେଉଛି ନିଶା ଦ୍ରବ୍ୟ

ଖୋର୍ଦ୍ଧା : ୨୦୦୩ ମସିହାରୁୁ କେନ୍ଦ୍ର ସରକାର ସିଗାରେଟ୍ ଓ ଅନ୍ୟ ଧୂଆଁପତ୍ର ସାମଗ୍ରୀ ବିଜ୍ଞାପନ, କାରବାର ଓ ବ୍ୟବସାୟିକ ଉତ୍ପାଦନ, ଯୋଗାଣ ଓ ବିତରଣ ନିରୋଧ ଆଇନ (କୋପଟା) ଲାଗୁ କରିଛନ୍ତି। ଏହି ଆଇନାନୁସାରେ, ୧୮ ବର୍ଷରୁ କମ୍ ବାଳକବାଳିକାଙ୍କୁ ଏହି ସାମଗ୍ରୀ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ଏହା ସହ କୌଣସି ଶିକ୍ଷାନୁଷ୍ଠାନ ଠାରୁ ୧୦୦ ମିଟର ମଧ୍ୟରେ ଏହି ସାମଗ୍ରୀର ବିକ୍ରି ଉପରେ ମଧ୍ୟ କଟକଣା ଲାଗିଛି। କିନ୍ତୁ ଖୋର୍ଦ୍ଧା ସହରରେ ଏହି ଆଇନର ଖୋଲାଖୋଲି ଉଲ୍ଲଂଘନ ଚାଲିଛି। ଏପରିକି କେତେକ ସ୍ଥାନରେ ସ୍କୁଲର ପରିସର ଓ ଫାଟକ ନିକଟରେ ଖୋଲାଖୋଲି ଏହି ମାଦକ ଦ୍ରବ୍ୟ ବିକ୍ରି ହେଉଛି।୨୦୧୯ ମସିହା ଜୁନ୍‌ ମାସ ୧୧ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖି ୨୦୦୩ ‘କୋପଟା’କୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟ ସରକାର ଏହି ଆଇନର ଧାରା ୬ ଅର୍ଥାତ ସ୍କୁଲ ଓ କଲେଜ ପରିସର ନିକଟରେ ସିଗାରେଟ୍ ଓ ଧୂଆଁପତ୍ର ସାମଗୀ, ଗୁଟ୍‌ଖା ଆଦି ବିକ୍ରି ସମ୍ପୂର୍ଣ୍ଣ ରୂପେ ନିଷେଧ କରିବା ନିମନ୍ତେ ଦୃଢ଼ ପଦକ୍ଷେପ ନେବେ। ଚିଠିରେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ କ୍ରମାଗତ ଭାବେ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଉଥିଲେ ମଧ୍ୟ ରାଜ୍ୟରେ ଏହା ପାଳନ କରାଯାଉନାହିଁ। ରାଜ୍ୟ ସରକାରଙ୍କ ଏହି ଉଦାସୀନତାର ଜ୍ଜ୍ବଳନ୍ତ ଉଦାହରଣ ଖୋର୍ଦ୍ଧା ସହରରେ ଦେଖିବାକୁ ମିଳିଛି। ଖୋର୍ଦ୍ଧା ସହରରେ ଥିବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଠାରୁ ଆରମ୍ଭ କରି ପ୍ରାଣନାଥ କଲେଜ ଯାଏଁ ସମସ୍ତ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ନିକଟରେ ସିଗାରେଟ୍, ଗୁଟ୍‌ଖା ଆଦି ବିକ୍ରି ଚାଲିଛି।

ନିକଟରେ ଏସ୍‌ଟିଏଫ୍ ଓ ପୁଲିସ୍‌ର ଚଢ଼ଉରେ ଏଭଳି ଅନେକ ପାନ, ସିଗାରେଟ୍ ଦୋକାନରେ ବ୍ରାଉନ୍‌ସୁଗାର, ଗଞ୍ଜେଇ ମଧ୍ୟ ବିକ୍ରି ହେଉଥିବା ପ୍ରମାଣିତ ହୋଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁସାରେ, ରାଜ୍ୟ ସରକାର ଚଳିତ ବର୍ଷ ଜୁନ୍ ୨୬ ତାରିଖରେ ଏହି ଆଇନର ସଂସ୍କରିତ ନିୟାମକ ଜାରି କରି ପ୍ରତ୍ୟେକ ଜିଲ୍ଲାରେ ଏହାକୁ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି। ଏହି ନିୟମର ଉଲ୍ଲଂଘନ କରୁଥିବା ଛାତ୍ରଛାତ୍ରୀ, ଦୋକାନୀଙ୍କ ଠାରୁ ମଧ୍ୟ ଜରିମାନା ଆଦାୟ କରିବାର କ୍ଷମତା ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷାନୁଷ୍ଠାନର ପ୍ରମୁଖ ପରିଚାଳକଙ୍କୁ ଦିଆଯାଇଛି। କେବଳ ଏତିକି ନୁହେଁ କୌଣସି ଶିକ୍ଷାନୁଷ୍ଠାନ କିମ୍ବା ଶିକ୍ଷାନୁଷ୍ଠାନରେ କାମ କରୁଥିବା କର୍ମଚାରୀ, ଶିକ୍ଷକ ସିଗାରେଟ୍, ଧୂଆଁପତ୍ର ସାମଗ୍ରୀ ଉତ୍ପାଦନ କରୁଥିବା କମ୍ପାନୀର କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ। ନୂତନ ନିୟାମକ ଅନୁସାରେ, ସ୍କୁଲର ପ୍ରଧାନ ଶିକ୍ଷକ, ସହକାରୀ ଶ୍ରମ କମିଶନର, ଯୋଗାଣ ବିଭାଗର ଏମ୍‌ଆଇ, ପୁଲିସ୍‌ ଏସ୍‌ଆଇ, ପୌରପରିଷଦର ସ୍ବାସ୍ଥ୍ୟାଧିକାରୀ, ସରପଞ୍ଚ, ପଞ୍ଚାୟତ ସେକ୍ରେଟାରୀ, ପିଏଚ୍‌ସି, ସିଏଚ୍‌ସି କିମ୍ବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମୁଖ୍ୟ, ବିଡିଓ, ବିଇଇ ଆଦିଙ୍କୁ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରିବାକୁ କ୍ଷମତା ଦିଆଯାଇଛି।

ସେହିପରି ସ୍କୁଲରେ ଧୂମପାନ ମୁକ୍ତ ଅଞ୍ଚଳ ବୋଲି ଲେଖିବା, ସ୍କୁଲ ଠାରୁ ୧୦୦ ଗଜ ଦୂରର ସ୍ଥାନ ନିରୂପଣ କରି ପାନ, ସିଗାରେଟ୍ ବିକ୍ରି ଉପରେ କଟକଣା ଲଗାଇବା, ଧୂମପାନ ନିରୀକ୍ଷକଙ୍କ ନାମ ଓ ନମ୍ବର ନାମଫଳକରେ ଲେଖାଇବା ଆଦିକୁ କଡ଼ାକଡ଼ି ପାଳନ କରିବାକୁ ପୁନଃ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଖୋର୍ଦ୍ଧା ସହରରେ ଥିବା ୨୦ରୁ ଅଧିକ ସ୍କୁଲ ଓ କଲେଜର ନିକଟରେ ପାନ ଓ ସିଗାରେଟ୍ ଦୋକାନ ରହିଛି। ଅନେକ ସ୍କୁଲରେ ଧୂମପାନ ମୁକ୍ତ ଅଞ୍ଚଳ ଲେଖାଥିବା ନାମଫଳକ ନଷ୍ଟ ହୋଇଯାଇଛି। ଏପରିକି କେତେକ ସ୍କୁଲର ହତା ଭଙ୍ଗାଯାଇ କିଛି ପାନ ସିଗାରେଟ୍ ଦୋକାନୀଙ୍କୁ ଭଡ଼ା ଦିଆଯାଇଛି।

error: Content is protected !!