ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଲୁଟ୍‌ ଚାଲିଛି

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଲୁଟ୍‌ ଚାଲିଛି। ୫ ବର୍ଷ ଧରି ଏଭଳି ଲୁଟ୍‌ ଚାଲିଥିଲେ ମଧ୍ୟ ପୁଲିସ୍‌, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଚୁପ୍ ରହିଛି। ଜିଲ୍ଲାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ୨୮ଟି ପଥର ଖଣି ମଧ୍ୟରୁ ଖୋର୍ଦ୍ଧା ତହସିଲ ଅଧୀନ କିଆଝର ଗାଁ ନିକଟରେ ଥିବା ଗୋଲାପୁଟଖୁଆ, ହାତିଆ ଓ ନିଜିଗଡ଼ତାପଙ୍ଗର ୩ଟି ମୁଣ୍ତିଆରୁ ଗତ ଦୁଇ ବର୍ଷରେ ୩୦ କୋଟିରୁ ଉର୍ଦ୍ଧ୍ବ ସଂପତ୍ତି ଲୁଟ୍‌ ହୋଇଛି। ଖୋର୍ଦ୍ଧା ପ୍ରଶାସନ ଉକ୍ତ ଟଙ୍କା ଦାଖଲ କରିବାକୁ ନୋଟିସ୍‌ ଜାରି କରିବାର ବର୍ଷେ ପୂରିଥିଲେ ମଧ୍ୟ ସମ୍ପୃକ୍ତ ଖଣି ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୨୦୧୩-୧୪ରେ ଶ୍ରୀମନ୍ଦିର ପ୍ରଶାସନର ଅଡିଟ୍‌ରେ ୨୦୧୧ରୁ ୨୦୧୪ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୨୮ଟି ପଥର ଖଣିର ଲିଜ୍‌ରେ ବ୍ୟାପକ ଜାଲିଆତି ଧରାପଡ଼ିଥିଲା। କାର୍ଯ୍ୟାଦେଶ, ଲିଜ୍ ଚୁକ୍ତି ଆଦି ନ ଥାଇ ଲିଜ୍ ପର୍‌ମିଟ୍ କିଭଳି ଦିଆଗଲା ସେନେଇ ଉଚ୍ଚସ୍ତରର ତଦନ୍ତ ପାଇଁ ଅଡିଟ୍‌ରେ ପରାମର୍ଶ ଦିଆଯାଇଥିଲା। ସେହିଭଳି ଶ୍ରୀମନ୍ଦିର ପ୍ରଶାସନ ଲିଜ୍‌ଧାରୀଙ୍କଠାରୁ କର, ଲିଜ୍ ଜମା, ରୟାଲ୍‌ଟି ଆଦି ଆଦାୟ ଦିଗରେ ପଦକ୍ଷେପ ନେଇ ନ ଥିବାରୁ ଅଡିଟର୍‌ ପ୍ରଶ୍ନ ଉଠାଇଥିଲେ। ଏହି ଅଡିଟ୍ ପରେ ୨୦୧୩ରେ ଜଙ୍କିଆ ଥାନା ଅଧିକାରୀ, ଜଟଣୀ ତହସିଲଦାର ଓ ରାଜସ୍ବ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖି ବେଆଇନ ପଥର ଖଣି ରୋକିବା ଓ ବକେୟା ରୟାଳ୍‌ଟି, ସରଫେସ୍‌ ରେଣ୍ଟ୍‌ ଆଦାୟ କରିବା ଦିଗରେ ପଦକ୍ଷେପ ନେବାକୁ କହିଥିଲେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ୨୦୧୪–୧୫ ଆର୍ଥିକ ବର୍ଷ ଅଡିଟ୍‌ରେ ପୂର୍ବ ବର୍ଷର ବେଆଇନ ପଥର ଖଣି ଉପରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ବିପୂଳ ରାଜସ୍ବହାନୀ ଘଟିଥିଲା। ପୁଣି ୨୦୧୪–୧୫ରେ ଟେଣ୍ତର ଆହ୍ବାନ କରାଯାଇଥିଲା।

ନିଜିଗଡ଼ ତାପଙ୍ଗରେ ପୂର୍ବେ ଓସିସିର ସବ୍‌ଲିଜ୍ ନେଇ କାମ କରୁଥିବା କାଳୁ ଖଣ୍ତାୟତରାୟ ଓ ତାଙ୍କର ସମ୍ପର୍କୀୟମାନେ କାଇପଦର, ମଳିପଡ଼ା ଓ ନିଜିଗଡ଼ତାପଙ୍ଗରେ ଥିବା ୮ଟି ଖଣି ନିମନ୍ତେ ଟେଣ୍ତର ଦାଖଲ କରିଥିଲେ। ସେହିଭଳି ଦୁର୍ଗାମାଧବ ବଳିଆରସିଂହ ଗୋଲପୁଟଖୁଆ, ହାତିଆ ଓ ନିଜିଗଡ଼ ତାପଙ୍ଗ ପଥର ଖଣି ନିମନ୍ତେ ଅକ୍ଟୋବର ୨୦୧୫ରେ ଆବେଦନ କରିଥିବାବେଳେ ମାତ୍ର ୩ ମାସ ମଧ୍ୟରେ ପରିବେଶ ମଂଜୁରୀ, ରାଜସ୍ବ, ବନ ବିଭାଗ ଆଦିର ମଂଜୁରୀ ପାଇଥିଲେ। ୨୦୧୬ ଖଣି ଖୋଳିବା ସମୟଠାରୁ ୨୦୧୮ ମଧ୍ୟରେ ତିନିଟି ଖଣିରେ ରୟାଲ୍‌ଟି ଓ ନିର୍ଦ୍ଧାରିତ ମାତ୍ରା ଠାରୁ ଅଧିକ ଉତ୍ତୋଳନ ବାବଦରେ ପ୍ରାୟ ୩୨ କୋଟି ଟଙ୍କା ରାଜସ୍ବ ଶ୍ରୀମନ୍ଦିର ପ୍ରଶାସନକୁ ଦାଖଲ କରିନାହାନ୍ତି। କେବଳ ଏହାନୁହେଁ, ଜିଲ୍ଲା ମି‌େନରାଲ୍ ପାଣ୍ଠିକୁ ମଧ୍ୟ ନିର୍ଦ୍ଧାରିତ ଦେୟ ଦାଖଲ କରିନାହାନ୍ତି।

ଏଭଳି ସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସନର ସୂଚନାରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଗତବର୍ଷ ମାର୍ଚ୍ଚ ୩୧ରେ ଦୁର୍ଗାମାଧବ ବଳିଆରସିଂଙ୍କ ୩ଟି ଖଣିକୁ ନୋଟିସ୍‌ ଜାରି କରିଥିଲେ। ୭ ଦିନ ମଧ୍ୟରେ ଅର୍ଥ ଦାଖଲ କରିବାକୁ ନିେର୍ଦ୍ଦଶ ଦେଇଥିଲେ। କିନ୍ତୁ ଏହି ନୋଟିସ୍‌ର ୧ ବର୍ଷ ବିତିଥିଲେ ମଧ୍ୟ ରାଜକୋଷରେ ଅର୍ଥ ଦାଖଲ ହୋଇନାହିଁ। ଓଲଟି ବେଆଇନ ଖଣି କାରବାର ଧରପଗଡ଼ ପାଇଁ ଯାଇଥିବା ତହସିଲଦାର ଓ ଅନ୍ୟ କର୍ମଚାରୀଙ୍କୁ ଖଣି ମାଫିଆ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗ ହୋଇଛି। ଏନେଇ ଉପ ଜିଲ୍ଲାପାଳ ସରୋଜ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ତିନିଟି ଖଣି ପାଇଁ ନୋଟିସ୍‌ ଜାରି କରାଯାଇଥିଲା। ଏଯାଏଁ ଟଙ୍କା ଜମା କରିନାହାନ୍ତି। ଅନେକ ଥର ପୁଲିସ ସହ ଯାଇ ଖଣି ବନ୍ଦ କରାଯାଇଛି, କିନ୍ତୁ ପୁଣି ଖଣି ଖୋଳିବା ଆରମ୍ଭ ହୋଇଯାଉଛି। ସେହିପରି ରାଜସ୍ବ ବିଭାଗର ଆଉ ଜଣେ ଅଧିକାରୀ କହିଛନ୍ତି ଯେ ବେଆଇନ ଖଣି ଖୋଳା ରୋକିବାକୁ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଥିବାବେଳେ ଖଣି ମାଫିଆଙ୍କ ଦ୍ବାରା ଭଡ଼ାଟିଆ ଗୁଣ୍ତା ନିୟୋଜିତ କରାଯାଇଛି। ଏଭଳି ସ୍ଥିତିରେ ସେହି ଅଞ୍ଚଳକୁ ଅଧିକାରୀ ଯିବାକୁ ଭୟ କରୁଛନ୍ତି। ଯଦି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାପ ପଡ଼ନ୍ତା ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରନ୍ତା ବୋଲି ଅଧିକାରୀ ଜଣକ କହିଛନ୍ତି। ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ସହ ଏନେଇ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ସମସ୍ତ ବେଆଇନ ପଥର କାରବାର ବିଜେପିର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ହେଉଛି।

error: Content is protected !!