ଭୁବନେଶ୍ବର୨୯|୭: ଗୃହ ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ଆଇନଶୃଙ୍ଖଳାକୁ ପ୍ରସଙ୍ଗକରି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ । ବିଶେଷକରି ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାଇତ୍ବରେ ଥିବାରୁ ବିରୋଧୀ ନବୀନଙ୍କ ଆଡକୁ ନିଶାନା ସାଧିଛନ୍ତି । ଗୋଟିଏ ପରେ ଗୋଟିଏ ତଥ୍ୟ ରଖି ବିରୋଧୀ ପୋଲିସ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଆଙ୍କିଛନ୍ତି । ହତ୍ୟା, ଧର୍ଷଣ, ଦଙ୍ଗା ଆଦି ରୋକିବାରେ ରାଜ୍ୟ ସରକାର କିଭଳି ବିଫଳ ତାର ଚିତ୍ର ରଖିଛନ୍ତି । …..ପୋଲିସର କାର୍ଯ୍ୟକଳାପ ଉପରେ ବିଧାନସଭାରେ ପ୍ରଶ୍ନ । ଗୃହ ବିଭାଗ ଦାଇତ୍ବରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି ବିରୋଧୀ । ଯେଉଁ ରାଜ୍ୟରେ ପ୍ରତିଦିନ ୪ ଜଣଙ୍କ ହତ୍ୟା ହୁଏ, ୭ଜଣ ଧର୍ଷଣର ଶିକାର ହୁଅନ୍ତି ଆଉ ୬ଟା ଦଙ୍ଗା ହୁଏ ସେ ରାଜ୍ୟରେ ସାଧାରଣ ଲୋକେ କେତେ ସୁରକ୍ଷିତ ସେନେଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି । ପ୍ରଶ୍ନ କରିଛନ୍ତି ଆଜି କଣ ମାଓବାଦ ଦମନରେ ଓଡିଶା ସରକାର ସଫଳ କି । ଯେଉଁଠି ବିଧାୟକ ମାନେ ବିନା ପୋଲିସ ସହାୟତାରେ ନିଜ ଅଂଚଳରେ ବୁଲିପାରୁ ନାହାଁନ୍ତି ଆଉ ପୋଲିସ ଇନଫର୍ମର ନାଁରେ ନିରିହ ଲୋକଙ୍କୁ ଟେକି ନେଇ ନକ୍ସଲ ହତ୍ୟା କରୁଛନ୍ତି ସେଠି ଏରାଜ୍ୟର ଆଇନଶୃଙ୍ଖଳା କିଭଳି ନିୟନ୍ତ୍ରଣରେ ଅଛି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଆଜି ଗୃହ ବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ଏଭଳି ଅନେକ ପ୍ରଶ୍ନରେ ସରକାରଙ୍କୁ କାଠ ଗଡାରେ ଠିଆ କରିଛନ୍ତି ବିରୋଧୀ । ପାଇକମାଳ, ପିପିଲି, ସମ୍ବଲପୁର ଆଦି ଅଞ୍ଚଳରେ ହୋଇଥିବା ଦୁସ୍କର୍ମ ଓ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ଉଦାହରଣ ଦେଇ ପୋଲିସ ବିଭାଗର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ।ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ଆଧାରରେ ବିରୋଧୀ ଦଳ ନେତା ଗୃହରେ ତଥ୍ୟ ରଖିଥିଲେ କିଭଳି ଓଡିଶାରେ ଅପରାଧ କେସ୍ ତୁଳନାରେ ଦଣ୍ଡିତ ହେଉଛନ୍ତି ମାତ୍ର ୧୦ ଦଶମିକ ୮ ପ୍ରତିଶତ । ଏହା ସହ ଅନେକ ଘଟଣାରେ ପୋଲିସ ଶାସକ ଦଳର ନେତା ଓ କର୍ମୀଙ୍କ ଚାଟୁକାର ଭଳି ବ୍ୟବହାର କରୁଥିବାରୁ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛି ।ଗତ ୬ ମାସରେ ଓଡିଶାରେ କେବଳ ୧୦୦୫ ନାବାଳିଙ୍କୁ ଦୁଷ୍କର୍ମ ହୋଇଥିବା ତଥ୍ୟ ରଖି ସୁପ୍ରିମକୋର୍ଟ ଯେଉଁ ଟିପ୍ପଣି ଦେଇଛନ୍ତି ତାହା ରାଜ୍ୟପାଇଁ ଲଜ୍ଜା ବୋଲି ବିରୋଧୀ କହିଛନ୍ତି । ତେବେ ଗୃହମନ୍ତ୍ରୀ ଭାବେ ବିଭାଗର ଖର୍ଚ୍ଚ ଦାବି ଉପରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ଶାନ୍ତିପୂର୍ଣ ରହିଛି ।ଓଡିଶାରେ ପୋଲିସ ବିଭାଗରେ ମାନବ ସମ୍ବଳ ଓ ଅନ୍ୟାନ୍ୟ ସାଧନ ଯୋଗାଇବାରେ ସରକାର ବିଫଳ ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି । କେରଳ ଭଳି ରାଜ୍ୟରେ ପ୍ରତି ଥାନାରେ ଅତିକମ୍ ରେ ୩୦ ଜଣ ପୋଲିସ ରହୁଥିବା ବେଳେ ଓଡିଶାରେ ହାରାହାରି ୭ ଜଣ ପୋଲିସ ରହିବା ଦୁର୍ଭାଗ୍ୟ ଜନକ ବୋଲି ବିରୋଧୀ କହିଛନ୍ତି । ଏତେକମ୍ ପୋଲିସରେ କିଭଳି ଆଇନଶୃଙ୍ଖଳା ରକ୍ଷା ହେବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।