ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ଥିବା ପିପିଲି ଟୋଲ୍ଗେଟ୍ରେ ରଥଯାତ୍ରାରେ ଟୋଲ୍ ଫି’ ଆଦାୟ ହୋଇଛି। ରଥଯାତ୍ରା, ବାହୁଡ଼ା ଓ ସୁନାବେଶରେ ପିପିଲି ଟୋଲ୍ଗେଟ୍ରେ ଟୋଲ୍ ଫି’ ଛାଡ଼ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଉକ୍ତ ଟୋଲ୍ଗେଟ୍ରେ ଫି’ ଛାଡ଼ ହେବନାହିଁ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ ବୁଧବାର ସୂଚନା ଦେବାପରେ ଆଜି ପବିତ୍ର ରଥଯାତ୍ରାରେ ପୂର୍ବପରି ଗାଡ଼ିମୋଟରଠାରୁ ଟିକସ ଆଦାୟ କରାଯାଇଛି। ରଥଯାତ୍ରା ଉପଲକ୍ଷେ ଟୋଲ୍ ଫି’ ଛାଡ଼ ନେଇ କୌଣସି ନିୟମ ନଥିବା ବେଳେ ୨୦୧୫ ମସିହାରୁ ଅଦ୍ୟାବଧି କୌଣସି ବର୍ଷ ଟୋଲ୍ ଫି’ ଛାଡ ହୋଇନଥିବା ସଂପର୍କରେ ଏନ୍ଏଚ୍ଏଆଇ ଆଞ୍ଚଳିକ ଅଧିକାରୀ ଗତକାଲି ସୂଚନା ଦେଇଥିଲେ। ରଥଯାତ୍ରା, ବାହୁଡା ଓ ସୁନାବେଶରେ ଟୋଲ୍ ଫି’ ଛାଡ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଏନ୍ଏଚ୍ଏଆଇର ନିୟମ ନଥିବାରୁ ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରାଯାଇ ପାରିବନି ବୋଲି ଏନ୍ଏଚ୍ଏଆଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି। ତେବେ ଆଜି ଉକ୍ତ ଟୋଲ୍ଗେଟ୍ରେ ଗାଡ଼ିମୋଟର ଠାରୁ ଟିକସ ଆଦାୟ କରାଯିବା ବେଳେ କେତେକ ଗାଡ଼ି ଚାଳକ ଓ ମାଲିକ ଟୋଲ୍ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିବା ସୂଚନା ମିଳିଛି।