ସ୍କୁଲ୍ କହିଲେ ଆପଣ କଣ ବୁଝନ୍ତି ? ସୁନ୍ଦର ଘରଟିଏ ଥିବ, ଆଗରେ ଗୋଟିଏ ବଗିଚା କିମ୍ବା ସଫାସୁତୁରା ଖେଳ ପଡ଼ିଆଟିଏ ଥିବ, ଯେଉଁଠି ପିଲାମାନେ ବେଶ୍ ଖୁସିରେ ପଢ଼ୁଥିବେ ଓ ଖେଳୁଥିବେ।
କିନ୍ତୁ ରାଜ୍ୟରେ ଏମିତି ଶହ ଶହ ସ୍କୁଲ୍ ଅଛି, ଯାହା ଆପଣଙ୍କ ଧାରଣାକୁ ପୁରା ବଦଳାଇ ଦେଇପାରେ। ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ଜାଣିବା ପାଇଁ ପଢନ୍ତୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଓ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ରୁ ଆସିଥିବା ଏହି ରିପୋର୍ଟକୁ।ଆଖି ଆଗରେ ଚକ୍ଚକିଆ ନୂଆ ସ୍କୁଲ୍ ଘର, କିନ୍ତୁ ଏବେବି ପିଲାଙ୍କ ଭାଗ୍ୟ ସଢ଼ୁଛି ଜରାଜୀର୍ଣ୍ଣ କୁଡ଼ିଆ ଘରେ। ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଗୟାଗଣ୍ଡା ପଞ୍ଚାୟତର ବାଉଁଶ ବତା ଘେରା ଇନ୍ଦିରା କଲୋନୀ ପ୍ରାଥମିକ ବିଦ୍ୟାଳୟରେ ପାଠ ବହି କମ୍, ଖୋଲା ଆକାଶ ବେଶି ଦେଖାଯାଏ ପିଲାଙ୍କୁ। ସେଇଠି ପାଠପଢ଼ା, ସେଇଠି ରୋଷେଇବାସ।
୨୦୧୪ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲ୍ର ନୂଆ କୋଠା ୨ ବର୍ଷ ହେଲା ତିଆରି ସରିଲାଣି। କିନ୍ତୁ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ହେଉନଥିବାରୁ ଏଇ ଅବସ୍ଥା।