ଭୁବନେଶ୍ୱର: ରାଜ୍ୟରେ ଆଜି ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। ଏଥିରେ ୬ଟି ଲୋକସଭା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଚାଲିଥିଲା କସରତ। ହେଲେ ଦିନ ଗୋଟେ ସୁଦ୍ଧା ଆଖିଦୃଷ୍ଟିଆ ଭୋଟ୍ ଦାନ ହୋଇ ନ ଥିବା ବେଳେ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ମତଦାନ ସର୍ବନିମ୍ନ ୨୦%ରେ ସୀମିତ ଥିଲା।
ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ସୂଚନା ଅନୁସାରେ ସଂନ୍ଧ୍ୟା ୫ଟା ସୁଦ୍ଧା ମତଦାନ ହାର ୬୧ ପ୍ରତିଶତକୁ ବୃଦ୍ଧି ପାଇଛି।
ଅନ୍ୟପକ୍ଷରେ ଇଭିଏମ୍ ସହ ଭିଭିପାଟରେ ତ୍ରୁଟି ଯୋଗୁଁ କଟକ ଜିଲ୍ଲା ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ୧୯୬ ଏବଂ ଦେବଗଡ଼ର ୧୮୩ ନମ୍ବର ବୁଥ୍ରେ ମତଦାନ ପ୍ରକ୍ରିୟା ବନ୍ଦ କରାଯାଇଛି। ଏଠାରେ ସାନି ମତଦାନ ପାଇଁ ସିଇସିଙ୍କୁ ସୁପାରିସ କରାଯାଇଥିବା ସୂଚନା ମିଳିଛି।
ଖବର ଅନୁସାରେ ମନୁଷ୍ୟକୃତ ତ୍ରୁଟି ପାଇଁ ଏହି ଦୁଇ ବୁଥ୍ରେ ସମସ୍ୟା ଦେଖାଦେଇଥିଲା। ପରବର୍ତ୍ତୀ ସମୟରେ ଏଠାରେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ବିରୋଧରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଇଓ କହିଛନ୍ତି। ସିଇଓଙ୍କ ସୂଚନା ଅନୁସାରେ ଗତ ୧୮ ତାରିଖରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ କାରଣରୁ ୯ଟି ବୁଥରେ ଯେଉଁ ଭୋଟ୍ ବାତିଲ୍ ହୋଇଥିଲା ସେଥି ପାଇଁ ଆସନ୍ତା ୨୫ ତାରିଖରେ ସାନି ମତଦାନ କରାଯିବ।ଏହି ବୁଥ ଗୁଡିକ ହେଲା, ବଣାଇ ବିଧାନସଭା ୧୨୯ନମ୍ବର ଉପରପଡା କେନ୍ଦ୍ରିକାଲ ବୁଥ, ସୁନ୍ଦରଗଡ ବିଧାନସଭା ୨୧୩ନମ୍ବର ରଙ୍ଗଡିପା ବୁଥ, ଦଶପଲ୍ଲା ବୁଥ ନମ୍ବର ୨୧୦ ବାହାଡଝୋଲା, ୨୨୨ନମ୍ବର ବେତନଟୀ ବୁଥ, ଅତାବିରା ୨୩୫ ନମ୍ବର ଅରେଇଗୁଡି ବୁଥ, ବରଗଡ ୬୮ ନମ୍ବର ଶକ୍ତିନଗର ବୁଥ, ପଦମପୁର ୧୬ନମ୍ବର ଡାବା ବୁଥ, ବ୍ରଜରାଜନଗର ୨୫୪ ନମ୍ବର ଚାରମାଳ ବୁଥ, ସୋରଡା ବିଧାନସଭା ୧୮୨ନମ୍ବର ରେଣ୍ଟି ବୁଥରେ ସାନି ନିର୍ବାଚନ କରାଯିବ। ୨ୟ ପର୍ଯ୍ୟାୟରେ ବିଭିନ୍ନ ତ୍ରୁଟି ଯୋଗୁଁ ଏହି ବୁଥରେ ମତଗ୍ରହଣ ହୋଇପାରିନଥିଲା।