ତୃପ୍ତି ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣା: ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରସୁଲଗୁଡ଼ସ୍ଥିତ ତୃପ୍ତି ହୋଟେଲ ମାଲିକ ବୁଲୁ ସାମନ୍ତରାୟଙ୍କୁ ମଙ୍ଗଳବାର ରାତିରେ ଆକ୍ରମଣ କରି ସୁନାଚେନ୍‌, ବ୍ରେସଲେଟ୍‌ ଓ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହାର ପ୍ରତିବାଦ ସହ ଅଭିଯୁକ୍ତଙ୍କ ଗିରଫ ଦାବିରେ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ବାସିନ୍ଦା ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଭୁବନେଶ୍ୱର-କଟକ, ଭୁବନେଶ୍ୱର ପୁରୀ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଉଭୟପଟୁ ଆସୁଥିବା ଶତାଧିକ ଗାଡ଼ିମୋଟର ଦୀର୍ଘ ସମୟ ଧରି ଅଟକି ରହିଥିଲା। ଡିସିପି ଅନୁପ ସାହୁ ଏବଂ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ଲୋକଙ୍କୁ ବୁଝାଶୁଝା କରିବା ସହ ଅଭିଯୁକ୍ତଙ୍କୁ ଧରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡ଼ିଛି।


ସୂଚନାଯୋଗ୍ୟ, ତୃପ୍ତି ହୋଟେଲ ମାଲିକ ବୁଲୁ ରାତି ପ୍ରାୟ ସାଢ଼େ ୧୨ଟାରେ ହୋଟେଲ ବନ୍ଦ କରି ପାଲାମଣ୍ଡପ ନିକଟସ୍ଥ ଘରକୁ ଫେରୁଥିଲେ। ଘରଠାରୁ ଅଳ୍ପ ଦୂରରେ ଏକ ପଲସର ବାଇକରେ ୩ ଜଣ ଦୁର୍ବୃତ୍ତ ମୁହଁରେ କଳାକପଡ଼ା ବାନ୍ଧି ଆଙ୍କ ଆଗରେ ଅଟକି ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରି ବୁଲୁଙ୍କୁ ଦେଖାଇଥିଲେ। ଏହି ସମୟରେ ବୁଲୁ ବାଇକ୍‌ ଛାଡ଼ି ଦୌଡ଼ିବାରୁ ମାରଣାସ୍ତ୍ରରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏଥିରେ ତାଙ୍କ ବେକ, ହାତ, ପେଟ ଓ ଜଙ୍ଘରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

error: Content is protected !!