ଭୁବନେଶ୍ୱର: ରାଜ୍ୟ ସରକାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା କଥା କହୁଛନ୍ତି। ହେଲେ ଗୋଟିଏ ବର୍ଷରେ ୫୦ ମହିଳା ଦୁଷ୍କର୍ମ ଓ ଗଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ବଢ଼ି ଚାଲିଥିବା ନାରୀ ନିର୍ଯାତନା ତଥ୍ୟ ଲୁଚାଇବାକୁ ରାଜ୍ୟ ସରକାର ୩୩ ପ୍ରତିଶତ ମହିଳା କାର୍ଡ ଖେଳିଛନ୍ତି ବୋଲି ବିଜେପି ଅଭିଯୋଗ କରି ବିଜେଡିକୁ ଟାର୍ଗେଟ କରିଛି।ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି। ସେ ଏକ ତାଲିକା ଦେଖାଇ କହିଛନ୍ତି, “୨୦୧୮ ଜାନୁଆରୀରୁ ୨୦୧୯ ଜାନୁଆରୀ ମଧ୍ୟରେ ରାଜ୍ୟରେ ୫୦ଟି ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ଘଟିଛି। ୧୨ ଛାତ୍ରୀ ଗର୍ଭବତୀ ହୋଇଥିବା ବେଳେ ୪ ଜଣ ସନ୍ତାନ ପ୍ରସବ କରିଥିବା ସରକାର ବିଧାନସଭାରେ ମାନିଛନ୍ତି। କେବଳ ଏହା ଉପରୁ ଲୋକଙ୍କ ନଜର ହଟାଇବାକୁ ବିଜେଡି ମହିଳା ସଂରକ୍ଷଣ କଥା କହି ବୁଲୁଛି।”ସେ ଆହୁରି କହିଛନ୍ତି, “NCRB ରେ ଜାତୀୟ ଅପରାଧ ହାର ୧୩.୬ ପ୍ରତିଶତ ଥିବାବେଳେ ଓଡ଼ଶାରେ ୩୧ ପ୍ରତିଶତ ରହିଛି। ଧର୍ତ୍ତବ୍ୟ ଅପରାଧରେ ଜାତୀୟ ହାର ୫୫.୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୮୪ ପ୍ରତିଶତ ରହିଛି।”