ନୂଆଦିଲ୍ଲୀ : ଦେଶରେ ପରବର୍ତ୍ତୀ ସରକାର କିଏ ଗଢ଼ିବ ସେଥିପାଇଁ ଆସନ୍ତାକାଲିଠାରୁ ଭୋଟ୍ ପ୍ରକ୍ରିୟା ଆରମ୍ଭ ହେବ। ଚଳିତ ବର୍ଷ ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି। ତେଣୁ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟରେ ଦେଶର ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ।
ଓଡ଼ିଶାର ୪ଟି ଆସନ ସହିତ ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ। ଏଥିସହ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଲୋକସଭା ଆସନ ସହ ଅରୁଣାଚଳ ପ୍ରଦେଶର ୨ଟି, ଆସାମର ୫ଟି, ବିହାରର ୪ଟି, ଛତିଶଗଡ଼ର ଗୋଟିଏ, ଜମ୍ମୁ-କଶ୍ମୀରର ୨ଟି, ମହାରାଷ୍ଟ୍ରର ୭ଟି, ମଣିପୁରର ୧ଟି,ମେଘାଳୟର ୨ଟି, ମିଜୋରାମର ୧ଟି, ନାଗାଲ୍ୟାଣ୍ଡର ୧ଟି, ସିକ୍କିମର ୧ଟି, ତେଲେଙ୍ଗାନାର ସମସ୍ତ ୧୭ଟି, ତ୍ରିପୁରାର ୧ଟି, ଉତ୍ତର ପ୍ରଦେଶର ୮ଟି, ଉତ୍ତରାଖଣ୍ଡର ୫ଟି, ପଶ୍ଚିମବଙ୍ଗର ୨ଟି, ଆଣ୍ଡାମାନର ୧ଟି ଓ ଲାକ୍ଷାଦ୍ୱୀପର ୧ଟି ଲୋକସଭା ଆସନ ପାଇଁ ଭୋଟ୍ରମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଓଡ଼ିଶା ବ୍ୟତୀତ ଅରୁଣାଚଳପ୍ରଦେଶ, ସିକ୍କିମ ଓ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହେଉଥିବାରୁ ଏହି ପର୍ଯ୍ୟାୟରେ ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯିବ। ୪ ଲୋକସଭା ଆସନ ହେଲା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର। ଏହି ୪ ଲୋକସଭା ଆସନ ପାଇଁ ୨୬ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି।
ସେହିଭଳି ୨୮ ବିଧାନସଭା ଆସନ ପାଇଁ ୧୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୦ଲକ୍ଷ ୩ ହଜାର ୭୦୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୩୦ ଲକ୍ଷ ୩୦ ହଜାର ୨୨୨।
ସୁରୁଖୁରୁରେ ମତଦାନ ପାଇଁ ୭ ହଜାର ୨୩୩ଟି ପୋଲିଂ ବୁଥ୍ କରାଯାଇଛି। ଏହା ମଧ୍ୟରୁ ମଧ୍ୟରୁ ୨୩୭୫ଟି ଅତି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ ହୋଇଛି। ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହେବ। ତେବେ ନକ୍ସଲ ଉପଦ୍ରୁତ ଓ ଦୁର୍ଗମ ଅଞ୍ଚଳରେ ଅପରାହ୍ଣ ୪ଟାରେ ମତଦାନ ଶେଷ ହେବ। ସେହିପରି ମତଦାନ ଆରମ୍ଭର ଦେଢ଼ ଘଣ୍ଟା ପୂର୍ବରୁ ସବୁ ବୁଥରେ ମକ୍ ପୋଲ୍ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ନିର୍ବାଚନରେ ପ୍ରଥମ ଥର ଲାଗି ସବୁ ବୁଥରେ ଇଭିଏମ ସହ ଭିଭିପ୍ୟାଟ ସଂଯୋଗ କରାଯାଇଛି। ଫଳରେ ଭୋଟରମାନେ କେଉଁ ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ ତାହା ଭିଭିପାଟ୍ ସ୍କ୍ରିନରେ ଦେଖିପାରିବେ। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ ବୁଥରେ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି। ଏହାବ୍ୟତୀତ ୫ ହଜାର ୫୧ଟି ବୁଥରେ ଦୃଷ୍ଟିହୀନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।
ଦ୍ୱିତୀୟ ପର୍ପ୍ୟାୟ ମତଦାନ ଏପ୍ରିଲ ୧୮ରେ ହେବ। ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ଏପ୍ରିଲ ୨୩ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ଏପ୍ରିଲ ୨୯ରେ ୪ର୍ଥ ପର୍ଯ୍ୟାୟ ଭୋଟ ହେବ। ମେ’ ୬ରେ ୫ମ ପର୍ଯ୍ୟାୟ, ମେ’୧୨ରେ ୬ଷ୍ଠ ପର୍ଯ୍ୟାୟ ଓ ମେ’ ୧୯ରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଭୋଟ୍ ହେବ। ସମସ୍ତ ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ମେ’ ୨୩ରେ ପ୍ରକାଶ ପାଇବ।