ନୟାଗଡ଼ : ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ? ଆଜି ନୟାଗଡ଼ ଦଶପଲ୍ଲାରେ ନିର୍ବାଚନୀ ପ୍ରଚାର ବେଳେ ବିଜେପିକୁ ଏ ପ୍ରଶ୍ନବାଣ ମାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପିର ଡବଲ ଇଞ୍ଜିନ୍ ଥିଓରୀକୁ ସମାଲୋଚନା କରିବା ସହ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ଏବଂ ସେ କେଉଁଠୁ ଲଢୁଛନ୍ତି ପ୍ରଶ୍ନ କରିଛନ୍ତି ନବୀନ।
ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାକୁ ବିଜେପି ଡରୁଛି କି ବୋଲି ନବୀନ ପଚାରିଛନ୍ତି। ନିର୍ବାଚନ ହେଲେ ଦିଲ୍ଲୀ ଇଂଜିନ ଆସୁଛି, ଜୋର୍ରେ ପାଟି କରୁଛି। ତା ପରେ ଆଉ ଦିଲ୍ଲୀ ଇଂଜିନର ଦେଖା ମିଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ବିଜେପିର ଆଉ ଗୋଟିଏ ଇଞ୍ଜିନ କିଏ ଓ ସେ କେଉଁଠି ଅଛନ୍ତି, ଓଡ଼ିଶାବାସୀ ତାହା ଜାଣିବାକୁ ଚାହୁଁଛନ୍ତି ବୋଲି ନବୀନ ପ୍ରଶ୍ନ କରିଥିଲେ। ଏହା ସହିତ ଏହି ସଭାରେ ମୁଖ୍ୟମନ୍ତ୍ରୀ ନିଜର ପୁରୁଣା କଥା ଦୋହରାଇବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ।
ଅନ୍ୟପକ୍ଷରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ନବୀନଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ସାଢେ ୪ କୋଟି ଓଡ଼ିଆ ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ସ୍ୱୟଂ ନାରାୟଣ ଯେଉଁଠି ନେତା, ସେଠି ନେତାଙ୍କ ଆବଶ୍ୟକତା ନାହିଁ। ଓଡ଼ିଆ ସଂସ୍କୃତି ବିଷୟରେ ଜାଣି ନଥିବା ନବୀନ ତାମିଲ୍ ଅଫିସରଙ୍କୁ ଧରି ବାଉଳି ଚାଉଳି ହେଉଛନ୍ତି।”
ସେପଟେ ନବୀନଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ବିଜେପି ପ୍ରଭାରୀ ଅରୁଣ ସିଂହ। କହିଛନ୍ତି, ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଏଥର ନିର୍ବାଚନରେ ବିଜେଡି ନିଶ୍ଚିତ ହାରୁଥିବା ଜାଣିବାରୁ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଏଭଳି ପ୍ରଶ୍ନ କରିଛନ୍ତି। ତେବେ ଅନ୍ୟରାଜ୍ୟ ଭଳି ଏଠିବି ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ ଏ ବାବଦରେ ନିଷ୍ପତ୍ତି ନେବ ଓ ଜଣେ ଓଡ଼ିଆ କହିପାରୁଥିବା ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଅରୁଣ ସିଂ କହିଛନ୍ତି।