ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଗୋପବନ୍ଧୁନଗରରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତ ରାତିରେ ୫ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ ବାହାରକୁ ଡାକି ପଡ଼ୋଶୀ ଜଣକ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।
ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଗାଁ ଲୋକେ ସନ୍ଦେହ କରି ଅଭିଯୁକ୍ତକୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୁଲିସର ଜିମା ଦେଇଛନ୍ତି। ମୃତ ନାବାଳିକାଙ୍କ ଶବ ବ୍ୟବଚ୍ଛେଦ ପାଇଁ ଏମ୍ସକୁ ପଠାଯାଇଥିବାବେଳେ ଦୁଷ୍କର୍ମ କରିଥବା ଯୁବକ ଜଣକଙ୍କୁ ମଧ୍ୟ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି।
ଗତକାଲି ରାତି ପ୍ରାୟ ୧୦ଟାରେ ନାବାଳିକା ଜଣକ ଘର ବାହାରେ ଖେଳୁଥିଲା। ପରେ ସେ କୁଆଡ଼େ ଗାଏବ ହୋଇଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ଝିଅକୁ ପାଇ ନଥିଲେ। ପରେ ପରିବାର ଲୋକେ ସମ୍ପୃକ୍ତ ଯୁବକଙ୍କୁ ଘରକୁ ପଚାରିବାକୁ ଯାଇଥିଲେ। ହେଲେ ସେ କବାଟ ଖୋଲି ନଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ପରିବାର ଲୋକେ ଯୁବକଙ୍କ ଘରେ ପଶିଥିଲେ। ସେଠାରେ ଝିଅର ମୃତଦେହ ପଡ଼ିଥିବା ଦେଖିଥିଲେ।
ଉକ୍ତ ଘଟଣା ପରଠାରୁ ଅଭିଯୁକ୍ତ ଭଡ଼ା ରହୁଥିବା ଘରର ମାଲିକ ଫେରାର ଅଛନ୍ତି।ଏଣୁ ଘରମାଲିକ ର ଏହି ଘଟଣାରେ ସଂପୃକ୍ତ ଥିବାର ସଂଧେୟ କରାଯାଉଛି। ସେପଟେ ଝିଅର ମୃତ୍ୟୁ ନେଇ ଥାନାକୁ ଅଭିଯୋଗ କରିବାକୁ ଆସିଥିବା ମୃତ ନାବାଳିକାଙ୍କ ବାପାଙ୍କୁ ଥାନା ପରିସରରେ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଜାମୁକୋଳି ର ପୂର୍ବତନ ସରପଞ୍ଚ କାର୍ତିକ ପରିଡା ନାମକ ଜଣେ ବ୍ୟକ୍ତି ତାଙ୍କୁ ଥାନା ପରିସରରେ ଧମକ ଚମକ ଦେବା ସହ ମାଡ ମାରିଥିବା ନେଇ ଅଭିଯୋଗ କରିଥିବା କହିଛନ୍ତି ମୃତ ନାବାଳିକାଙ୍କ ବାପା।ଏହା ପ୍ରକାଶ ଥାଉକି ନାବାଳିକାଙ୍କ ପରିବାର ଏ ସମ୍ପର୍କରେ ଜଟଣୀ ଥାନା ଅଧିକାରୀ ଙ୍କୁ ଅଭିଯୋଗ କରିବାରୁ ଥାନା ଅଧିକାରୀ ପୀଡ଼ିତା ଙ୍କ ପରିବାର ଲୋକଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ଙ୍କ ପରିବାର।
ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ଅନୁପ ସାହୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଘଟଣାସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଏକ ସ୍ବତନ୍ତ୍ର ଟିମ୍ ଦ୍ବାରା ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଡିସିପି । ଏଭଳି ଏକ ଅଭାବନୀୟ ଘଟଣାରେ ତଦନ୍ତ ସାରି ଖୁବ୍ ଶୀଘ୍ର ଚାର୍ଜ ସିଟ୍ ଦାଖଲ କରାଯିବା ସହ ମୃତ ନାବାଳିକାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସରକାରଙ୍କ ଦୃଷ୍ଟି ଗୋଚର କରଯାଇଥିବା କହିଛନ୍ତି ଭୁବନେଶ୍ବର ଡିସିପି ଅନୁପ ସାହୁ।
କେସ୍ ନମ୍ବର ୨୧୬/୧୯ ରେ ଆଇପିସି ୩୦୨, ୩୭୬, ଦୁଷ୍କର୍ମ ଓ ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି ତଦନ୍ତ ଚଳାଇଛି ଜଟଣୀ ପୋଲିସ। ତେବେ ଖୁବ୍ ଶୀଘ୍ର ମୃତକଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି ହୋଇଛି। ସ୍ଥାନୀୟ ଅଞ୍ଚଳରେ ବେଆଇନ ନିଶା କାରବାରକୁ ରୋକିବାକୁ ସାଧାରଣରେ ଦାବି ହୋଇଛି।