ନିର୍ବାଚନ ବେଳେ ନବୀନଙ୍କୁ କୋଲବ୍ଲକ୍ ଆବଣ୍ଟନ ଦୁର୍ନୀତି ଅଡୁଆ

ଭୁବନେଶ୍ୱର : ଦୁଇ ବର୍ଷ ତଳେ ନବୀନଙ୍କୁ ଜେରା କରିଥିଲା କି ସିବିଆଇ ? କୋଲବ୍ଲକ୍‌ ଆବଣ୍ଟନରେ ଦୁର୍ନୀତି ଅଭିଯୋଗ ନେଇ ପୂର୍ବତନ କେନ୍ଦ୍ର ଖଣିମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୦୧୭ ନଭେମ୍ବର ୨୫ରେ ସିବିଆଇ ଜେରା କରିଥିବା ସୁପ୍ରିମ୍‌କୋର୍ଟରେ ଦାଏର୍ ପିଟିସନ୍‌ରେ ଦର୍ଶାଇଛନ୍ତି ଆବେଦନକାରୀ। ବୈଭବ ବର୍ମା ନାମକ ଏହି ଆବେଦନକାରୀ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିବା ସହ ସିବିଆଇ ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ନିବେଦନ କରିଛନ୍ତି। ଆବେଦନକାରୀ ଦର୍ଶାଇଛନ୍ତି, ୧୯୯୮ମସିହାରେ ନାଗପୁରର ସେଣ୍ଟ୍ରାଲ କୋଲିଏରିଜ୍ ନାମକ ଏକ ସଂସ୍ଥାକୁ ମହାରାଷ୍ଟ୍ରର ଟେକ୍‌ଲି-ଜେନା-ବେଲୋରା କୋଇଲା ଆବଣ୍ଟିତ କରାଯାଇଥିଲା। ଏହି ସମୟରେ କଂପାନୀ ପଞ୍ଜିକୃତ ହୋଇନଥିଲେ ବି ଏହାକୁ କିପରି କୋଇଲା ଖଣି ଦିଆଗଲା ବୋଲି ପ୍ରଶ୍ନ ଉଠିଥିଲା। ଜାଲିଆତି କରି ବେଆଇନ ଭାବେ ଏହି କୋଇଲା ଖଣିର ଆବଣ୍ଟନ କରାଯାଇଥିବା ଅଭିଯୋଗ ନେଇ ମାର୍ଚ୍ଚ ୨୬, ୨୦୧୪ରେ ସିବିଆଇ FIR କରିଥିଲା।ମାତ୍ର ମାମଲା ରୁଜ୍ଜୁର ଦୀର୍ଘ ୩ ବର୍ଷ ପରେ ଅର୍ଥାତ ୨୦୧୭ ମସିହା ନଭେମ୍ବରରେ ସିବିଆଇ ପୂର୍ବତନ କୋଇଲା ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜେରା କରିବା ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି ଆବେଦନକାରୀ।

ସେହିପରି ନବୀନଙ୍କୁ ଜେରାର ଦୁଇବର୍ଷ ପରେ ମଧ୍ୟ କାହିଁକି ମାମଲାର ତଦନ୍ତ ବିଳମ୍ବ ହେଉଛି ବୋଲି  ପ୍ରଶ୍ନ ଉଠାଇବା ସହ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ ସାରିବା ଲାଗି ସିବିଆଇକୁ ନିର୍ଦ୍ଦେଶ ଦେବା ପାଇଁ ଆବେଦନକାରୀ ବର୍ମା ସର୍ବୋଚ୍ଚ କୋର୍ଟଙ୍କୁ ନିବେଦନ କରିଛନ୍ତି।

ଗୁରୁତ୍ୱପୂର୍ଣ୍ଣ ହେଉଛି କୋଇଲା ଆବଣ୍ଟନ ମାମଲାର ଅଭିଯୁକ୍ତଙ୍କୁ ପୂର୍ବତନ ସିବିଆଇ ମୁଖ୍ୟ ରଣଜିତ୍ ସିହ୍ନା ନିଜ ଘରେ ଭେଟିବା ନେଇ ସର୍ବୋଚ୍ଚ କୋର୍ଟ ଆପତ୍ତି ଉଠାଇଥିଲେ। ତେବେ ନବୀନଙ୍କ ବିରୋଧରେ ମାମଲା ରୁଜୁ ହେବାର କିଛିଦିନ ଆଗରୁ ଅର୍ଥାତ୍ ୨୦୧୪ ମସିହା ମାର୍ଚ୍ଚ ୧ ତାରିଖରେ ସିହ୍ନା ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଏହି ସମୟରେ ସେ ନବୀନଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏହା ପରେ ନବୀନଙ୍କୁ ଜେରା ହେବାରେ ଆଶ୍ଚର୍ଯ୍ୟଜନକ ଭାବେ ଅହେତୁକ ବିଳମ୍ବ ହୋଇଥିବା ଆବେଦନକାରୀ ଦର୍ଶାଇଛନ୍ତି।

ତେବେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ସିବିଆଇର ପ୍ରତିକ୍ରିୟା ମିଳିନଥିବା ବେଳେ କୋଲବ୍ଲକ୍ ଆବଣ୍ଟନ ମାମଲା ସହ ନବୀନଙ୍କର କୌଣସି ସଂପର୍କ ନଥିବା କହିଛନ୍ତି ଦଳୀୟ ସାଂସଦ ପିନାକୀ ମିଶ୍ର। ନିର୍ବାଚନକୁ ଦେଖି ଏହା ଅପପ୍ରଚାର ବୋଲି ସେ କହିଛନ୍ତି।

ତେବେ ନବୀନଙ୍କୁ ଯେଉଁ ଦିନ ସିବିଆଇ ଜେରା କରିଥିବା ଆବେଦନକାରୀ ଦର୍ଶାଇଛନ୍ତି, ସେଦିନ ଅର୍ଥାତ୍ ନଭେମ୍ବର ୨୫, ୨୦୧୭ରେ ଦିଲ୍ଲୀରେ ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡି କମିଟି ବୈଠକରେ ଯୋଗ ଦେବାକୁ ନବୀନ ଦିଲ୍ଲୀ ଗସ୍ତରେ ଥିଲେ। ଏସବୁ ଭିତରେ ମାମଲାର ଭବିଷ୍ୟତ କଣ ହେବ ତାହା ତ ପର କଥା, ମାତ୍ର  ନିର୍ବାଚନୀ ଉଷ୍ମତା ଭିତରେ ନବୀନଙ୍କୁ ସିବିଆଇ ଜେରା ପ୍ରସଙ୍ଗ ରାଜନୈତିକ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ନିଶ୍ଚିତ।

 

error: Content is protected !!