ନୟାଗଡ଼ରେ ଜିଲ୍ଲାରେ ବୃଦ୍ଧି ପାଉଛି ଅବାଧ ନିଶା କାରବାର, ଚେଇଁ ଶୋଇଛି ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ

ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦର ମହକୁମାଠାରୁ ଆରମ୍ଭ କରି ଆଖପାଖ ଗାଁଗୁଡ଼ିକରେ ଗଞ୍ଜେଇ, ଅଫିମଠାରୁ ଆରମ୍ଭ କରି ଅସାଧୁ ମଦ ବ୍ୟବସାୟୀ ମାତିଛନ୍ତି। ଏଭଳିକି ନିକଟ ଅତୀତରେ ନୟାଗଡ଼ ସହରରୁ ମଧ୍ୟ ବ୍ରାଉନ ସୁଗାର୍‌ ଜବତ ହୋଇଛି। କିନ୍ତୁ ପୁଲିସ୍‌ ଏଭଳି ନିଶା କାରବାରର ଚେର ନିକଟ‌ରେ ପହଞ୍ଚିବାକୁ ଚାହୁନାହିଁ। ନିଶା କବଳରେ ପଡ଼ି ନୟାଗଡ଼ର ଅନେକ ଯୁବକ ନାନାଦି କୁକର୍ମରେ ଲିପ୍ତ ରହୁଛନ୍ତି। କିନ୍ତୁ ଜିଲ୍ଲା ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ଅବକାରୀ ବିଭାଗ ଚେଇଁ ଶୋଇଛନ୍ତି। ନୟାଗଡ଼ରେ ଗଳିକନ୍ଦିରେ ନିଶା ଚରିଗଲା ଭଳି ପରିସ୍ଥିତି ଦେଖାଦେଇଛି।

ନୟାଗଡ଼ ସଦର ମହକୁମାର ଛାତି ଉପରେ ଥିବା ବିଭିନ୍ନ ପାନଦେକାନରେ ବ୍ୟାପକ ଗଞ୍ଜେଇ କାରବାର ଚାଲିଥିବା ବେଳେ ଅନେକ ଦୋକାନରେ ସିଗାରେଟ୍ ଭିତରେ ଗଞ୍ଜେଇ ପୂରାଇ ଚତୁରତାର ସହ ବିକ୍ରି କରାଯାଉଛି। ବେଆଇନ ଭାବେ ମାଦକଦ୍ରବ୍ୟ ବେପାର ଚଳାଇଥିବା ବ୍ୟକ୍ତି ଓ ବିଭିନ୍ନ ଥାନାର କର୍ମଚାରୀ, ଅବକାରୀ ବିଭାଗର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଏଭଳି ବେଆଇନ କାରବାରକୁ ବଳ ଯୋଗାଉଛି। ସହଜ‌ରେ ବିଭିନ୍ନ ସ୍ଥାନରେ ମାଦକଦ୍ରବ୍ୟ ମିଳିଯାଉଥିବାରୁ ଏହାକୁ ସେବନ କରି ଲୋକମାନେ ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ଏପରିକି ନୟାଗଡ଼ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଲାଇସେନ୍ସପ୍ରାପ୍ତ ମଦଦୋକାନଗୁଡ଼ିକ ରାତି ୧୦ଟା ପରେ ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଦେଖିବାକୁ ମିଳୁଛି। ଏଠାରେ ବିଭିନ୍ନ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା ଜମୁଥିବା ବେଳେ ବିଭିନ୍ନ ଅପରାଧର ବ୍ଲୁ-ପ୍ରିଣ୍ଟ ମଧ୍ୟ ଏହି ସ୍ଥଳରୁ ପ୍ରସ୍ତୁତ ହେଉଛି। ପୁଲିସ ଲୋକଦେଖାଣିଆ ଭାବେ ପାଟ୍ରୋଲିଂ ଚଳାଇଥିବା କହୁଥିବା ‌ବେଳେ ମଦଦୋକାନ ଆଡ଼କୁ ଦେଖି ନଦେଖିଲା ପରି ହେଉଛି।

error: Content is protected !!