ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି । ୮୪ ବର୍ଷ ବୟସରେ ଭାରତୀୟ ସେନା ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି । କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ମାତ୍ର ସେଠାରେ ଯାଞ୍ଚ ବେଳେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା ସୂଚନା ମିିଳିଥିଲା ଓ ତାହାର ଅପରେସନ କରାଯାଇଥିଲା । ଅପରେସନ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା । ତାଙ୍କୁ ଜୀବନରକ୍ଷା ପ୍ରଣାଳୀ (ଭେଣ୍ଟିଲେଟର)ରେ ରଖା ଯାଇଥିଲା । ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କର ପୁଅ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପୂର୍ବତନ ରାଷ୍ଟ୍ରପତିଙ୍କ ବିୟୋଗରେ ଦେଶର ଜାତୀୟ ପତାକାକୁ ଅର୍ଧନମିତ କରାଯାଇଛି ଏବଂ ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।
ପ୍ରଣବ ମୁଖାର୍ଜୀ ୧୯୩୫ ଡ଼ିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୯ରେ ସେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବା ପରେ ୨୦୧୨ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ । ୨୦୧୨ ମସିହାରେ ଦେଶର ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ପରେ ସେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେଇଥିଲେ ।
ପ୍ରଣବ ୧୯୫୭ ଜୁଲାଇ ୧୩ ତାରିଖରେ ଶୁଭ୍ରା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଶୁଭ୍ରା ୨୦୧୫ରେ ୭୪ ବର୍ଷରେ ପରଲୋକଗମନ କରିଥିଲେ । ତାଙ୍କର ପୁଅ ଅଭିଜିତ୍ ମୁଖାର୍ଜୀ କଂଗ୍ରେସର ସାଂସଦ ଅଛନ୍ତି । ଝିଅ ଶର୍ମିଷ୍ଠା ଜଣେ କଥକ ନୃତ୍ୟଶିଳ୍ପୀ ଓ ସେ ମଧ୍ୟ କଂଗ୍ରେସରେ ଅଛନ୍ତି ।
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିଦ, ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ୍ ଶାହା ଶୋକବ୍ୟକ୍ତ କରିଛନ୍ତି । ସେହିପରି ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କଂଗ୍ରେସ ନେତା ରାହୁଳ ଗାନ୍ଧୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଓଲି ମଧ୍ୟ ଶୋକପ୍ରକାଶ କରିଛନ୍ତି ।