ପାଣ୍ଡିଆନ ଓ ଆଶିଷ ସିଂହଙ୍କ ବିଜେଡି ସହ ସମ୍ପୃକ୍ତିର ତଦନ୍ତ ଦାବି କଲା ବିଜେପି

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଓ ତାଙ୍କ ଟିମ୍ ଏବେ ସରକାରୀ କାର୍ଯ୍ୟ ଛାଡି ବିଜେଡି ଦଳ ପାଇଁ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାରେ ଏହି ଟିମ୍ ବାଧକ ସାଜୁଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିସାରିଛି।

ଆଜି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପାଣ୍ଡିଆନ ଓ ତାଙ୍କ ସରକାରୀ ଟିମ୍ ଏବେ ବିଜେଡି ପାଇଁ ଯେଭଳି କାର୍ଯ୍ୟ କରୁଛନ୍ତି ତାହା ରାଜ୍ୟରେ ନିରପେକ୍ଷ ନିର୍ବାଚନ ପରିଚାଳନାରେ ପ୍ରତିବନ୍ଧକ ସାଜୁଛି। ମୁଖ୍ୟମନ୍ତ୍ରୀ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ପାଣ୍ଡିଆନ ପ୍ରଭେଦ ଜାଣିପାରୁନାହାନ୍ତି ବୋଲି କହିଛନ୍ତି।

ଖାଲି ସେତିକି ନୁହେଁ, ଭିକେ ପାଣ୍ଡିଆନ ଖଣି ମାଫିଆ, ଦୁର୍ନୀତିଗସ୍ତ ଲୋକ, ଠିକାଦାର ଏବଂ କର୍ପୋରେଟ ସେକ୍ଟରରୁ ଚାନ୍ଦା ଆଦାୟ କରିଛନ୍ତି। ଏହି ଟଙ୍କା ସବୁ ବିଜେଡିର ନିର୍ବାଚନ ପାଇଁ ଖର୍ଚ୍ଚ ହେଉଛି। ବିଜେଡିର ଟିକେଟ୍ ଫାଇନାଲ କରିବାର ମୁଖ୍ୟ ଭୂମିକା ପାଣ୍ଡିଆନଙ୍କର ରହିଛି। ଏବେ ପାଣ୍ଡିଆନ ଜିଲ୍ଲାପାଳ, ଏସପି, ଡିଆଇଜି, ଆରଡିସି, ତହସିଲଦାର, ବିଡିଓ, ସିଡିପିଓ ଏବଂ ଅନ୍ୟ ସରକାରୀ ଅଫିସରମାନଙ୍କୁ ଧମକ ଦେବା ସହ ସରକାରୀ କାର୍ଯ୍ୟ ଛାଡ଼ି ବିଜେଡି ଦଳ ପାଇଁ କାର୍ଯ୍ୟ କରିବାକୁ କହୁଛନ୍ତି। ଏହାର ପ୍ରତିବାଦରେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

error: Content is protected !!