Breaking NewsElectionPolitics

ପୂର୍ବତନ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନ ଯାହାଙ୍କ କାର୍ଯ୍ୟକାଳ ସମୟରେ ଘୋଟାଲା ଓ ଲାଞ୍ଚ କାରବାରର ସର୍ବାଧିକ ଅଭିଯୋଗ ହୋଇଥିଲା ତାଙ୍କୁ ପୁରସ୍କାର ସ୍ୱରୂପ ବିଜେଡି ସମ୍ବଲପୁର ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଭାବେ ଟିକେଟ୍‍ ଦିଆଯାଇଛି

ଭୁବନେଶ୍ୱର : ପୂର୍ବତନ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନ ଯାହାଙ୍କ କାର୍ଯ୍ୟକାଳ ସମୟରେ ଘୋଟାଲା ଓ ଲାଞ୍ଚ କାରବାରର ସର୍ବାଧିକ ଅଭିଯୋଗ ହୋଇଥିଲା ତାଙ୍କୁ ପୁରସ୍କାର ସ୍ୱରୂପ ବିଜେଡି ସମ୍ବଲପୁର ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଭାବେ ଟିକେଟ୍‍ ଦିଆଯାଇଛି ଏବଂ ଏହା ନବୀନ ବାବୁଙ୍କର ସ୍ୱଚ୍ଛତାକୁ ପ୍ରମାଣିତ କରୁଛି ବୋଲି କଟାକ୍ଷ କରିଛି କଂଗ୍ରେସ। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଏ ବିଷୟରେ ପ୍ରକାଶ କରି କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କ କାର୍ଯ୍ୟକାଳ ଅବଧି ଭିତରେ କୋଟି କୋଟି ଟଙ୍କାର ଘୋଟାଲା ଓ ପିସି କାରବାରର ଅଭିଯୋଗ ଥିଲା ସେହି ବ୍ୟକ୍ତିଙ୍କୁ ସମ୍ବଲପୁର ଲୋକସଭା ପାଇଁ ଟିକେଟ୍‍ ଦେଇ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଚାକିରୀରେ ଥିବା ବେଳେ ସରକାରଙ୍କୁ ଅନୁଗୃହୀତ କରିବା ଭଳି ନିଷ୍ପତି ନେଉଥିବା ଏହି ତୋଷାମୋଦକାରୀଙ୍କ ଅସଲ ମୁଖା ଏବେ ଲୋକଙ୍କ ସାମ୍‍ନାକୁ ଆସିଛି ବୋଲି ସତ୍ୟପ୍ରକାଶ କହିଛନ୍ତି। ନିଜ ଚାକିରୀ କାର୍ଯ୍ୟକାଳ ସରିବା ପରେ ମଧ୍ୟ ପୁନର୍ବାର ନଳିନୀ ପ୍ରଧାନଙ୍କୁ ପୂର୍ତ ସଚିବ ପଦରେ ରଖି ତାଙ୍କ କାର୍ଯ୍ୟ ଅବଧି ବଢାଇବାର ରହସ୍ୟ ବର୍ତ୍ତମାନ ଜଣାପଡିଛି ବୋଲି କଂଗ୍ରେସ କହିଛି।
ନଳିନୀଙ୍କର କାର୍ଯ୍ୟକାଳ ମଧ୍ୟରେ ଦେଢ ହଜାର କୋଟି ଟଙ୍କାର ଇ-ଟେଣ୍ଡର କରାଗଲା ନାହିଁ, ଯାହାକି ରାଜ୍ୟ ରାଜକୋଷକୁ କ୍ଷତି ପହଞ୍ଚାଇବା ସହିତ ଏକ ବଡ ଦୁର୍ନୀତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ସେ କହିଛନ୍ତି। ବିଭିନ୍ନ ପ୍ରୋଯେକ୍ଟର ସମୟସୀମା ବଢାଯାଇ ଦୁର୍ନିତି କରୁଥିବା କଂଗ୍ରେସ ଅଭିଯୋଗ କରିଛି। ଏହାର ଏକ ଜ୍ଜ୍ୱଳନ୍ତ ନମୁନା ହେଉଛି ଗୁରୁପ୍ରିୟା ସେତୁ ଯାହାର ଅତିରିକ୍ତ ବ୍ୟୟ ୩୪ କୋଟି ବୃଦ୍ଧି କରାଯାଇଥିଲା ଏବଂ ଏହାକୁ ଖୋଦ୍‍ ଏ.ଜି. ତାଙ୍କ ରିପୋର୍ଟରେ ଦର୍ଶାଇବା ସହିତ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଦୁର୍ନୀତିଗ୍ରସ୍ତଙ୍କୁ ଟିକେଟ୍‍ ଦେଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ କେତେ ସ୍ୱଚ୍ଛ ଏବଂ ନିର୍ମଳ। ଯେଉଁ ବ୍ୟକ୍ତିଙ୍କ କାର୍ଯ୍ୟ ଅବଧି ମଧ୍ୟରେ ସବୁଠାରୁ ଅଧିକ ନିର୍ମାଣାଧିନ ପୋଲ ଭୁଷୁଡିଲା ତାହାର ତଦନ୍ତ ନକରି ଗଳା ବାଟ ଦେଇ ତାଙ୍କୁ ଲୋକସଭାକୁ ପଠାଇବାର ଏକ ସୁଚିନ୍ତିତ ବ୍ୟବସ୍ଥା କରି ଦିଆଗଲା ବୋଲି କଂଗ୍ରେସ ଅଭିଯୋଗ କରିଛି। ବମିଖାଲ ଓଭରବ୍ରିଜ ଦୁର୍ଘଟଣାର ଶିକାର ହୋଇ ନିଜ ବାପାଙ୍କୁ ହରାଇଥିବା ଝିଅକୁ କି ଜବାବ ଦେବ ବିଜେଡି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର, ରଜନୀ କୁମାର ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related Articles

error: Content is protected !!
Close