ପୁରୀ: ବାତ୍ୟା ଫୋନି ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ପୁରୀର ରାଜଭବନ। ଏହା ପରିସରରେ ଥିବା ଆକର୍ଷଣୀୟ ଉଦ୍ୟାନ ମାଟିରେ ମିଶିଯାଇଛି। ଉଦ୍ୟାନରେ ଲାଗିଥିବା ଶହ ଶହ ଗଛ ଭାଙ୍ଗି ଉପୁଡ଼ି ପଡ଼ିଛି। ବେଳାଭୂମିଠୁ ମାତ୍ର ୫୦-୬୦ ମିଟର ଦୂରରେ ଥିବା ରାଜ୍ୟର ଏହି ଐତିହ୍ୟ ପ୍ରାସାଦର କୌଣସି ବି ଗୋଟିଏ ଆସବାବପତ୍ର ଫୋନି ପ୍ରଳୟରୁ ବର୍ତ୍ତି ପାରିନାହିଁ।
ରାଜଭବନ ଆଡେ ଗଲେ ଆପଣଙ୍କୁ ଲାଗିବ ଯେମିତି ସବୁଜିମା ମଶାଣିରେ ଠିଆ ହୋଇଛି ଭୂତ ବଙ୍ଗଳାଟିଏ। ଧୂଳିସାତ୍ ହୋଇଯାଇଛି ରାଜଭବନର ସବୁଠୁ ବଡ଼ ଆକର୍ଷଣ ଫୁଲ ଉଦ୍ୟାନ। ମାଟିରେ ମୋଡ଼ି ମକଚି ଲୋଟି ପଡ଼ିଛି ଶହ ଶହ ଗଛ। ରାଜଭବନ ଭିତରର ଦୃଶ୍ୟ ଆହୁରି ଭୟଙ୍କର। ଏଠି ପାଣି ମାଡ଼ିନି କି ବାଲି ଚରିନି। ଫୋନିର ଉଗ୍ର ତାଣ୍ଡବ ବେଳେ ସମୁଦ୍ରରୁ ଉଡ଼ନ୍ତା ବାଲିରେ ପୋତି ହୋଇଯାଇଛି ରାଜଭବନ।
ପଡିଛି ଭଙ୍ଗାତୁଟା କାଚ। କାନ୍ଥରୁ ଝଡ଼ି ପଡ଼ିଛି ପ୍ଲାଷ୍ଟର। ମୁଖ୍ୟ ଦରଜା ଡେଇଁ ଭିତରେ ପଶିଲା ବେଳକୁ ବୈଠକ ଖାନା, ଆଲିସାନ୍ ସୋଫା, ମୁଖ୍ୟ ପ୍ରକୋଷ୍ଠ, ଶୟନ କକ୍ଷ, କନ୍ଫରେନ୍ସ ହଲ୍ ସବୁ ଯେମିତି ନଷ୍ଟଭ୍ରଷ୍ଟ ହୋଇ ପଡିଛନ୍ତି ।
କେବଳ ରାଜଭବନ ନୁହେଁ, ରାଜଭବନ ମୁଖ୍ୟଦ୍ୱାର ନିକଟରେ ଥିବା ଷ୍ଟାଫ କ୍ୱାର୍ଟର ଅବସ୍ଥା ବି ସାଂଘାତିକ। ଛାତ ଉଡ଼ିଯାଇଥିବାରୁ ପ୍ରଳୟ ଦିନ ଜୀବନ ବଞ୍ଚାଇ ରାଜଭବନ ଭିତରକୁ ଚାଲିଯାଇଥିଲେ କର୍ମଚାରୀ। ସେବେଠୁ ଭୁତକୋଠି ପାଲଟିଯାଇଥିବା ଏ ରାଜଭବନ ଭିତରେ ଅଛନ୍ତି ସମସ୍ତେ। ହେଲେ ପାଣି ନାହିଁ, ବିଜୁଳି ନାହିଁ, କେହି ରିଲିଫ ମୁଠାଏ ବି ଦେଉ ନ ଥିବା ଏମାନଙ୍କର ଅଭିଯୋଗ।