ନିର୍ବାଚନୀ ହିଂସାରେ ପୁଣି ଗଡ଼ିଲା ମୁଣ୍ଡ: ଖୋର୍ଦ୍ଧାରେ ବିଜେପି ନେତାଙ୍କ ହତ୍ୟାକୁ ନେଇ ଉତ୍ତେଜନା, ବିଜେଡିର ସଂପୃକ୍ତି ଅଭିଯୋଗ

ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ରାଜନୈତିକ ହତ୍ୟା। ରକ୍ତ ରଞ୍ଜିତ ହୋଇଛି ଖୋର୍ଦ୍ଧା ନବୀନାବାଗ ଅଞ୍ଚଳ। ନିର୍ବାଚନୀ ହିଂସାରେ ପୁଣି ଗଡ଼ିଲା ମୁଣ୍ଡ। ଭୋଟ୍ ବେଳେ ଲାଲ ହେଲା ରାଜନୀତିର ରଙ୍ଗ । ଗତକାଲି ଖୋର୍ଦ୍ଧାରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ସହଯୋଗୀ ତଥା ଜଟଣୀ ବ୍ଲକ୍ ବିଜେପି ସଭାପତି ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କିରଛନ୍ତି ଦୁର୍ବୃତ୍ତ। ଏହା ପଛରେ ବିଜେଡି କର୍ମୀଙ୍କ ହାତ ଥିବା ଅଭିଯୋଗ ଉଠିଥିବା ବେଳେ ଦଳ ଏହାକୁ ଖଣ୍ଡନ କରିଛି।

ଘଟଣାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ୪ଟି ଟିମ୍ ଗଠନ କରି କ୍ରାଇମବ୍ରାଞ୍ଚ୍ ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି ପୁଲିସ। ଗତକାଲି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ଓ ମଙ୍ଗୁଳି ମିଳିତ ଭାବେ ନିର୍ବାଚନ ପ୍ରଚାର କରିଥିଲେ । ରାତି ପ୍ରାୟ ୧୧ଟା ୧୫ ସମୟରେ ଉଭୟ ନିଜ ନିଜ ଗାଡ଼ିରେ ବସି ଘରକୁ ଯିବାକୁ ଉଦ୍ୟତ ହେଉଥିବା ବେଳେ ଦୁର୍ବୃତ୍ତ ଏକ ଦୁଇ ଚକିଆ ଗାଡିରେ ଆସି ମଙ୍ଗୁଳିଙ୍କ ଉପରକୁ ଫାୟାରିଂ କରିଥିଲେ ଦୁର୍ବୃତ୍ତ ।

ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡାୟତରାୟଙ୍କୁ ବି ଟାର୍ଗେଟ୍ କରିଥିଲେ।  ହେଲେ ସୌଭାଗ୍ୟ ବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ସେପଟେ ଏ ଘଟଣା ପଛରେ ବିଜେଡିର ହାତଥିବା କାଳୁ ଅଭିଯୋଗ କରିଛନ୍ତି । ତେବେ ବିଜେଡି ପ୍ରାର୍ଥୀ ଜିତୁ ମିତ୍ର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ମଙ୍ଗୁଳିଙ୍କ ହତ୍ୟାକାଣ୍ଡ ପରେ ଅଶାନ୍ତ ହୋଇ ପଡିଛି ଖୋର୍ଦ୍ଧା ସହର ।

ହତ୍ୟାକାରୀକୁ  ତୁରନ୍ତ ଧରିବା ଦାବି ଗତକାଲି ରାତିରୁ ବିଜେପି କର୍ମୀଙ୍କ ଧାରଣା ଓ ବିକ୍ଷୋଭ ଜାରି ରହିଛି। ରାଜପଥ ଅବରୋଧ ସହ ଦଳ ସହରରେ ବନ୍ଦ ପାଳନ ବି କରିଛି । ଏପଟେ ହତ୍ୟା ଘଟଣାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏପଟେ ଘଟଣାକୁ ୨୦ ଘଣ୍ଟା ପୁରି ଥିଲେ ବି ଅଭିଯୁକ୍ତର ଟେର୍ ପାଇନି ପୁଲିସ। ତେବେ ୪ଟି ଟିମ୍ ଗଠନ କରି ପୁଲିସ ଖୋଳତାଡ଼ ଆରମ୍ଭ କରିଛି। କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ତଦନ୍ତର ତଦାରଖ କରିବେ ବୋଲି ଭାରପ୍ରାପ୍ତ ପୁଲିସ ଡିଜି କହିଛନ୍ତି।

୧୯ସାଧାରଣ ନିର୍ବାଚନରେ ଏହା ହେଉଛି ରାଜ୍ୟରେ ଦ୍ୱିତୀୟ ରାଜନୈତିକ ହତ୍ୟାକାଣ୍ଡ । ପୂର୍ବରୁ କେନ୍ଦୁଝର ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କଙ୍କୁ ଅତି ବୀଭତ୍ସଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ପଛରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ହାତ ଥିବା ନେଇ ଅଭିଯୋଗ ଉଠିଥିବା ବେଳେ ବଦ୍ରି ତାକୁ ଅସ୍ୱୀକାର କରିଥିଲେ।

error: Content is protected !!