ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଗେରୁଆ ଦଳ ତାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭଳି ହତ୍ୟା କରିପାରେ। ଏ ସମ୍ପର୍କରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ(ପିଏସଓ) କେନ୍ଦ୍ରରେ ଥିବା ବିଜେପି ସରକାରକୁ ଅବଗତ କରାଇଛନ୍ତି।
କେଜ୍ରିୱାଲ ପଞ୍ଜାବରେ ପ୍ରଚାର କରିବା ସମୟରେ ଏପରି ମନ୍ତବ୍ୟ ଦେଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ପୁଲିସ କହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ନିୟୋଜିତ ସୁରକ୍ଷା କର୍ମୀମାନେ ସେମାନଙ୍କ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧ। ଏହି ସୁରକ୍ଷା ୟୁନିଟ୍ ବିଭିନ୍ନ ରାଜନୈତିକ ଦଳର ଉଚ୍ଚ ପଦାଧିକାରୀମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛି।
ଅନ୍ୟପଟେ କେଜ୍ରିୱାଲ ପ୍ରଥମ ଥର ପାଇଁ ଏଭଳି ଦାବି କରିନାହାନ୍ତି। ୨୦୧୬ ଜୁଲାଇରେ ସେ ନାଟକୀୟ ଢଙ୍ଗରେ ୟୁ-ଟ୍ୟୁବରେ ଏକ ଭିଡିଓ ପୋଷ୍ଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ହତ୍ୟା କରିବା ପାଇଁ ଯେକୌଣସି ସ୍ତରକୁ ଚାଲିଯାଇପାରନ୍ତି। ଏଥିସହ ଆମ ଆଦ୍ମୀ ପାର୍ଟି ବିଧାୟକମାନଙ୍କ ଗିରଫଦାରି ପଛରେ ମୋଦୀଙ୍କ ହାତ ଥିବା ସେ କହିଥିଲେ।
ଉଲ୍ଲେଖଯୋଗ୍ୟ, ନିକଟରେ ଦିଲ୍ଲୀର ମୋତି ନଗରରେ ଆୟୋଜିତ ଏକ ରୋଡ୍ ଶୋ’ରେ ଜଣେ ବ୍ୟକ୍ତି କେଜ୍ରିୱାଲଙ୍କୁ ଚାପୁଡ଼ା ମାରିଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ନାଲି ରଙ୍ଗର ଟି-ଶାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି କେଜ୍ରିୱାଲ ଯାଉଥିବା ଜିପରେ ଚଢ଼ି ତାଙ୍କୁ ଚାପୁଡ଼ା ମାରୁଥିବା ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା। ପରବର୍ତ୍ତୀ ସମୟରେ ସମ୍ପୃକ୍ତ ବ୍ୟକ୍ତି ଆମ ଆଦମୀ ପାର୍ଟିର ଜଣେ ସମର୍ଥକ ବୋଲି କହିଥିଲେ।
ଏହାମଧ୍ୟରେ କେଜ୍ରିୱାଲ ଶନିବାର କହିଛନ୍ତି, ଶେଷ ମୁହୂର୍ତ୍ତରେ ଦିଲ୍ଲୀର ମୁସଲିମ ଭୋଟ କଂଗ୍ରେସ ହାଜକୁ ଚାଲିଯାଇଛି। ଏହା ତାଙ୍କ ଦଳ ପାଇଁ କ୍ଷତି ପହଞ୍ଚାଇବ। ଅନ୍ୟପଟେ କେଜ୍ରିୱାଲଙ୍କ ମନ୍ତବ୍ୟ ଉପରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶିଲା ଦିକ୍ଷୀତ କହିଛନ୍ତି, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଖରାପ ରେକର୍ଡ ପାଇଁ ମୁସଲିମ ଭୋଟ ଦେଶର ସବୁଠାରୁ ପୁରୁଣା ଦଳକୁ ସ୍ଥାନାନ୍ତରିତ ହୋଇଛି।