ଭୁବନେଶ୍ବର (NEWS TODAY): ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ବିଧାନସଭା ଅଧିବେଶନ କେବେ ଆରମ୍ଭ ହେବ ସେ ନେଇ ବାଚସ୍ପତି ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ଏଯାବତ୍ ସେଥିଲାଗି ତାରିଖ ଧାର୍ଯ୍ୟ ହୋଇନାହିଁ । ତେବେ ବିଧାନସଭା ଅଧିବେଶନର ଦୁଇ ଦିନ ପୂର୍ବରୁ ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀମାନଙ୍କର କରୋନା ନମୁନା ପରୀକ୍ଷା କରାଯିବ ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନମୁନା ପରୀକ୍ଷା କରାଯିବ । ନେଗେଟିଭ ରିପୋର୍ଟ ଆସିଲେ ହିଁ ବିଧାନସଭା ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିବ ବୋଲି ବାଚସ୍ପତି କହିଛନ୍ତି।
ସୂଚନାଯୋଗ୍ୟ, ଲୋକସଭା ଆରମ୍ଭ ପୂର୍ବରୁ ସମସ୍ତ ସାଂସଦମାନଙ୍କର କୋଭିଡ୍ ଟେଷ୍ଟ୍ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏସ୍ଓପି ଜାରି କରିଛି। ଏହି ଏସ୍ଓପି ଆଧାରରେ କୋଭିଡ୍ ଟେଷ୍ଟ୍ କରିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏନେଇ ପୂର୍ବାହ୍ନ ୧୧ଟା ୩୦ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏ ସମ୍ପର୍କରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି।