ଶିକ୍ଷା ଭଳି ମୌଳିକ ସୁବିଧା ପାଇଁ ସରକାରଙ୍କ କେତେ କ’ଣ ଯୋଜନା କରାଯାଉଛି। ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ସ୍ତରରେ ସବୁଠି ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ହେଲେ ଆମ ରାଜ୍ୟରେ ଏବେ ବି ଯେମିତି ଅଣ୍ଟା ସଳଖି ପାରିନି ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। କେଉଁଠି ସ୍କୁଲ ଘର ନାହିଁ ତ ଆଉ କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀ ନାହାନ୍ତି। ତେଣୁ ଅଭାବ ଓ ଅସୁବିଧା ଭିତରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ଆମ ଭବିଷ୍ୟତ ଦାୟଦ।ମୁଣ୍ଡ ଉପରେ ଭଙ୍ଗା ଚାଳ, ତଳେ ମଇଳା ପଲିଥିନ୍ ଚାଦର। ଘରେ କାନ୍ଥ ବଦଳରେ ଛିଡା ହୋଇଛି ଦଦରା କାଠ ଖୁଣ୍ଟ। ଏମିତି ପରିବେଶରେ ମୟୂରଭଞ୍ଜ ଠାକୁରମୁଣ୍ଡା ବ୍ଲକ୍ ଭଦୁବାହାଲି ପ୍ରାଥମିକ ବିଦ୍ୟାଳୟରେ ଚାଲିଛି ପାଠପଢ଼ା।
ଏ ସରକାରୀ ବିଦ୍ୟାଳୟରେ ପଞ୍ଚମ ଯାଏଁ ପାଠପଢ଼ା ସୁବିଧା ଅଛି। ହେଲେ ପିଲାଙ୍କ ପାଇଁ ନାହିଁ ସ୍କୁଲ ଘର। ଫଳରେ ଗୋଟିଏ ସ୍ଥାନରେ ପାଠ ପଢୁଛନ୍ତି ୪୦ରୁ ଅଧିକ ପିଲା। ୨୦୧୫ରେ ସ୍କୁଲର ନୂଆ କୋଠା ନିର୍ମାଣ ପାଇଁ ଅନୁଦାନ ଆସିଥିଲା। ହେଲେ ନିର୍ମାଣ କାମ ସେବେଠୁ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ଫଳରେ ସ୍ଥାନ ଅଭାବରୁ ପାଠପଢ଼ା, ଓ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ଗୋଟିଏ ସ୍ଥାନରେ ହେଉଛି।ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ସଦର ବ୍ଲକ କାର୍ଲାକଣା ସରକାରୀ ଉଚ୍ଚ ବିଦ୍ୟାଳୟର ଅବସ୍ଥା ମଧ୍ୟ ସମାନ। ବହୁ ପୁରାତନ ଏ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୮୬, ହେଲେ ଏତେ ସଂଖ୍ୟାରେ ପିଲାଙ୍କ ପାଠପଢ଼ା ପାଇଁ ଭିତ୍ତିଭୂମି ନାର୍ହି। ଫଳରେ ଭଙ୍ଗା ଦଦରା ଘର ଆଉ କଣା ଆଜବେଷ୍ଟସ୍ ଛାତ ତଳେ ସବୁଦିନ ଚାଲିଛି ପାଠପଢ଼ା।
କାନ୍ଥ ଓ ଖୁଣ୍ଟିକୁ ନିରେଖି ଦେଖିଲେ ଏଠି ବି ପିଲାଙ୍କ ମୁଣ୍ଡ ଉପରେ ପାଦେ ପାଦେ ବିପଦ ଥିବା ଆଶଙ୍କା ରହୁଛି। କେତେବେଳ ଯେ କ’ଣ ଅଘଟଣ ଘଟିବ, ତାହା କହିବା ମୁସ୍କିଲ। ହାଇସ୍କୁଲ ହୋଇଥିଲେ ବି ପିଲାଙ୍କ ବସିବା ପାଇଁ ଡେସ୍କ ବେଞ୍ଚ ନାହିଁ। ପିଇବାକୁ ଟୋପାଏ ପାଣି କି ଶୌଚ ପାଇଁ ସାମାନ୍ୟତମ ସୁବିଧା ମଧ୍ୟ ଏଠାରେ ନାହିଁ।
୬ରୁ ୧୪ ବର୍ଷ ଯାଏଁ ପିଲାଙ୍କୁ ମାଗଣାରେ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରିଛନ୍ତି ସରକାର। ହେଲେ ପିଲାମାନଙ୍କ ପାଠପଢ଼ା ପାଇଁ ଭିତ୍ତିଭୂମି ବିକାଶ କଥା ହୁଏତ ଭୁଲିଯାଇଛନ୍ତି। ଯାହା ଏହି ଦୁଇଟି ବିଦ୍ୟାଳୟକୁ ଦେଖିଲେ ଅନୁମାନ କରିହେବ। ଯଦି ପିଲାଙ୍କୁ ଏଇଭଳି ଅବସ୍ଥାରେ ପାଠ ପଢିବାକୁ ଛାଡ଼ିଦେଇ, ଚୁପ୍ ବସିବେ, ତେବେ ସେମାନଙ୍କ ବୌଦ୍ଧିକ ବିକାଶର ଗତି କେଉଁ ଆଡ଼କୁ ଯିବ ତାହା ସହଜରେ ଅନୁମେୟ।