ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ରାଜ୍ୟସଭା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେ ଏଠାରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହିତ ଲଢ଼ିବେ।
ସେହିପରି ସମ୍ବଲପୁର ଲୋକସଭା ଆସନରୁ ଦଳ ପୂର୍ବତନ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସାଂସଦ ନଗେନ୍ଦ୍ର ପ୍ରଧାନଙ୍କ ବଦଳରେ ତାଙ୍କୁ ପ୍ରାର୍ଥୀ କରାଯିବ ବୋଲି ପୂର୍ବରୁ ଆଲୋଚନା ହୋଇଆସୁଥିଲା।
ବାଲେଶ୍ୱରରୁ ସାଂସଦ ରବୀନ୍ଦ୍ର ଜେନା ପୁଣି ପ୍ରାର୍ଥୀ ହୋଇଛନ୍ତି। ପୁରୀରୁ ବି ଦଳ ପୁଣି ଥରେ ସାଂସଦ ପିନାକୀ ମିଶ୍ରଙ୍କୁ ଟିକେଟ୍ ଦେଇଛି।
ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ଅରୂପ ପଟ୍ଟନାୟକଙ୍କୁ ଦଳ ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକଙ୍କୁ ଟିକେଟ୍ ଦେଇଛି। ରାଜଶ୍ରୀ ଏବେ ତିର୍ତ୍ତୋଲର ବିଧାୟକ ଅଛନ୍ତି। ସେହିପରି ଯାଜପୁରରୁ ଶର୍ମିଷ୍ଠା ସେଠୀ, ମୟୂରଭଞ୍ଜରୁ ଡାକ୍ତର ଦେବାଶିଷ ମାରାଣ୍ଡି ଓ ଭଦ୍ରକରୁ ମଞ୍ଜୁଲତା ମଣ୍ଡଳଙ୍କୁ ଦଳ ପ୍ରାର୍ଥୀ କରିଛି। ଯାଜପୁର ସାଂସଦ ରୀତା ତରାଇଙ୍କ ଟିକେଟ୍ କଟିଛି।
ଏହା ପୂର୍ବରୁ ମଧ୍ୟ ବିଜେଡି ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହା ସହିତ ଦଳ ୧୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛି। ଏବେ ସମସ୍ତଙ୍କ ନଜର କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନ ଉପରେ ରହିଛି। କାରଣ ଏହି ତିନିଟି ଆସନରେ ଏଯାଏ ଦଳ ପ୍ରାର୍ଥୀ ଦେଇନି।