ଭୁବନେଶ୍ୱର: ବାତ୍ୟା ଅମ୍ପନର କ୍ଷୟକ୍ଷତି ପରିଦର୍ଶନ ପାଇଁ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମୋଦି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ପାଇଁ ବିମାନବନ୍ଦରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ମନମୋହନ ସାମଲ, ରାଜ୍ୟ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ।
ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ, ଡିଜିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତି ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।
ଭୁବନେଶ୍ୱରରେ ପହଞ୍ଚିବା ପରେ ବାତ୍ୟାଞ୍ଚଳ ପରିଦର୍ଶନରେ ବାହାରିଛନ୍ତି ମୋଦି। ବାୟୁସେନାର ହେଲିକପ୍ଟରରୁ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ। ପ୍ରଧାମନ୍ତ୍ରୀଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବି ସାମିଲ ଅଛନ୍ତି। ବାତ୍ୟାଞ୍ଚଳ ପରିଦର୍ଶନରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ସମୀକ୍ଷା ବୈଠକରେ ଯୋଗ ଦେବେ।