ଭୁବନେଶ୍ୱର: ଚିଟ୍ଫଣ୍ଡ କମ୍ପାନୀ ମନଭରି ଠକିଲେ। ଦୀର୍ଘ ବର୍ଷର ଅପେକ୍ଷା ପରେ ସରକାରଙ୍କ ଟଙ୍କା ଫେରସ୍ତ ପ୍ରତିଶ୍ରୁତି ଜମାକାରୀଙ୍କ ପାଇଁ ଉପହାସ ସାଜିଲା। ୭ ବର୍ଷ ତଳେ ୪ ହଜାର ଲେଖାଏଁ ଜମା ରଖିଥିବା କାକଟପୁର ଅଞ୍ଚଳର ଶତାଧିକ ଚିଟ୍ଫଣ୍ଡ ଜମାକାରୀଙ୍କୁ କ୍ଷତିପୂରଣ ମିଳିଛି ମାତ୍ର ୨ଶହ ଲେଖାଏଁ ଟଙ୍କା । ବାଲେଶ୍ୱରରେ ରାଜ୍ୟ ସରକାରଙ୍କ କର୍ପସ ଫଣ୍ଡ ପ୍ରତିଶ୍ରୁତି, ଯେମିତି ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି।
ଭୋଟ୍ରଙ୍କ ମୁଦ୍ଦାରେ ପଢ଼ନ୍ତୁ ‘ଚିଟ୍ଫଣ୍ଡ ଟଙ୍କା ଫେରସ୍ତ ପ୍ରହସନ’।
କାକଟପୁର ବ୍ଲକ୍ ସୁହାଗପୁର ଗାଁର ଶୈଳବାଳା ଦେଇ ପରିଣତ ବୟସରେ ପେଟରୁ କାଟି ୨୦୧୧-୧୨ ମସିହାରେ ରୋଜଭ୍ୟାଲି ଚିଟ୍ଫଣ୍ଡ ସଂସ୍ଥାରେ ଜମା ରଖିଥିଲେ ୩ ହଜାର ୮୦୦ ଟଙ୍କା। ମାସକୁ ୨ଶହ ଲେଖାଏଁ ୧୯ଟି କିସ୍ତିରେ ଡିପୋଜିଟ୍ କରିଥିଲେ ଟଙ୍କା। ହେଲେ ସବୁ ଟଙ୍କା ନେଇ ରାତି ଅଧିଆ ଛୁ ମାରିଲା କମ୍ପାନୀ। ମୁଣ୍ଡରେ ହାତ ଦେଇ ବସିଥିବାବେଳେ କର୍ପସ ଫଣ୍ଡ ଗଠନ କରି କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ରାଜ୍ୟ ସରକାରଙ୍କ ଘୋଷଣା ପରେ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା। ହେଲେ ଫେରିଲା ମାତ୍ର ୨ ଶହ ଟଙ୍କା। ଖାଲି ସେ ନୁହଁନ୍ତି, ଅଞ୍ଚଳର ଶତାଧିକ ଜମାକାରୀଙ୍କ ସମାନ ଅବସ୍ଥା।
ଜମାକାରୀମାନେ ଅଭିଯୋଗ କରିଛନ୍ତି, ସ୍ଥାନୀୟ ଆରଆଇ ଓ ତହସିଲଦାର ଡକ୍ୟୁମେଣ୍ଟ ସଂଗ୍ରହ କରୁଥିବାବେଳେ କେବଳ ଶେଷ ଜମା ରସିଦ ହିଁ ନେଇଥିଲେ। ଫଳରେ ଏଭଳି ଅବସ୍ଥା ହୋଇଛି।
ବର୍ତ୍ତମାନର ତହସିଲଦାର କାକଟପୁର ତହସିଲଦାର ରୋଜିନା ଦାସ ଏପରି ତ୍ରୁଟିକୁ ସ୍ୱୀକାର କରିଛନ୍ତି। ଏନେଇ ସେ ଉଚ୍ଚ ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି।
ତହସିଲଦାର କହିଛନ୍ତି, “କାକଟପୁର ବ୍ଲକର ୩୯୬ ହିତାଧିକାରୀଙ୍କ ମଧ୍ୟରୁ ୩୦୫ ଜଣଙ୍କୁ ଟଙ୍କା ଫେରସ୍ତ ହୋଇଛି। ହେଲେ ନିର୍ଦ୍ଦିଷ୍ଟ କେତେ ଟଙ୍କା ମିଳିଛି ସେ ତଥ୍ୟ ମୋ ପାଖରେ ନାହିଁ।”
ଏପଟେ ବାଲେଶ୍ୱରରେ ତ ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କ ରାଗ ମୁଣ୍ଡକୁ ଚଢିଲାଣି। ବାରମ୍ବାର ତହସିଲ୍ ଜରିଆରେ ଜମାକାରୀଙ୍କ ଭେରିଫିକେସନ ସରିବା ପରେ ବି ଗରିବ ଲୋକଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ ମିଳୁନଥିବା ଅଭିଯୋଗ ହେଉଛି। କର୍ପସ ଫଣ୍ଡରୁ ଟଙ୍କା ଫେରାଇବାର ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ସେମାନଙ୍କ ସହ ଖେଳୁଥିବା ଅଭିଯୋଗ କରିଛନ୍ତି। ଏମିତିକି ଆଗାମୀ ନିର୍ବାଚନରେ ଏହାର ଜବାବ ଦେବାକୁ ବି ପଣ କଲେଣି କ୍ଷତିଗ୍ରସ୍ତ ଜମାକାରୀ ଓ ସେମାନଙ୍କ ହକ୍ ପାଇଁ ଲଢ଼େଇ କରୁଥିବା ସଂଗଠନ।