ଭୁବନେଶ୍ୱର : ମହଙ୍ଗା ପ଼ଡିଲା ମାଜିଷ୍ଟ୍ରେଟଙ୍କୁ ମାଡ଼। ଗିରଫ ହେଲେ ପ୍ରଦୀପ ମହାରଥୀ। ପିପିଲି ବିଧାୟକ ତଥା ଏଥର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ ପରେ କରାଯାଇଥିଲା କୋର୍ଟ ଚାଲାଣ। ମହାରଥୀଙ୍କ ବିରୋଧରେ ଲାଗିଛି ହତ୍ୟା ଉଦ୍ୟମ ଭଳି ସଂଗୀନ ଦଫା।
ପୁରା ଘଟଣା ଥିଲା ଏମିତି। ରବିବାର ରାତି ୧୧ଟା ୪୫। ମହାରଥୀଙ୍କ ହୁଙ୍କେଇପୁର ସ୍ଥିତ ଫାର୍ମ ହାଉସରେ ମଦ ଓ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ପାଇ ପହଞ୍ଚିଥିଲା ଫ୍ଳାଇଂ ସ୍କ୍ୱାର୍ଡର ତିନୋଟି ଗାଡ଼ି। ଫାର୍ମ ହାଉସ୍ ଫାଟକ ପାଖରେ ୨ଟି ଗାଡ଼ି ପହଁଞ୍ଚିବା ପରେ ସନ୍ଦିଗ୍ଧ ଅବସ୍ଥାରେ ଏକ ସ୍କୁଟିରେ ଟଙ୍କା ଥିବା ସନ୍ଦେହରେ ଯାଞ୍ଚ ପାଇଁ ଯାଇଥିଲେ ସ୍କ୍ୱାର୍ଡର ଟିମ୍। ଠିକ୍ ସେତିକି ବେଳେ ପହଁଞ୍ଚିଯାଇଥିଲେ ଖୋଦ୍ ମହାରଥୀ ମାଜିଷ୍ଟ୍ରେଟଙ୍କ ଗାଡିକୁ ଅଟକାଇଥିଲେ ମହାରଥୀଙ୍କ ସମର୍ଥକ।
ସ୍କ୍ୱାର୍ଡର ନେତୃତ୍ୱ ନେଉଥିବା ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ସୂଚନା ଅନୁସାରେ ମହାରଥୀ ଓ ତାଙ୍କ ସମର୍ଥକ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ରେଡ୍ କରିବାକୁ ଫାର୍ମ ହାଉସ ଭିତରକୁ ପଶିବାକୁ ଦେଇନଥିଲେ ମହାରଥୀ ଓ ତାଙ୍କ ସମର୍ଥକ। ହକି ଷ୍ଟିକ୍ ଓ ଠେଙ୍ଗା ଧରି ଗୋଡାଇ ଗୋଡାଇ ପିଟିଥିଲେ। ମାଡ଼ ଖାଇ ସେଠାରୁ ଗୋଟିଏ ଗାଡ଼ିରେ ଫେରିଆସିଥିଲେ ସ୍କ୍ୱାର୍ଡ।
ତେବେ ଆକ୍ରମଣରେ ରବିନାରାୟଣଙ୍କ ସମେତ ପୁଲିସ ଏଏସଆଇ ବିନୟ କୁମାର ଦାସ ଓ ଡ୍ରାଇଭର ଦୀପକ ଆହତ ହୋଇଛନ୍ତି। ଫ୍ଳାଇଂ ସ୍କ୍ୱାର୍ଡର କ୍ୟାମେରାମ୍ୟାନଙ୍କୁ ମଧ୍ୟ ଆକ୍ରମଣ କରି ତାଙ୍କ କ୍ୟାମେରା ଭାଙ୍ଗିଦେଇଥିଲେ ମହାରଥୀଙ୍କ ସମର୍ଥକ। ଗୁରତର ଆହତ ରବିନାରାୟଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଶେଷରେ ଝାରପଡ଼ା ଜେଲକୁ ଗଲେ ପିପିଲି ବିଧାୟକ ପ୍ରଦୀପ ମହାରଥୀ। ତାଙ୍କ ଜାମିନ ଆବେଦନର ଶୁଣାଣି ୨୪ ତାରିଖକୁ ଘୁଞ୍ଚିଥିବାରୁ ସେପର୍ଯ୍ୟନ୍ତ ଜେଲରେ ରହିବେ ମହାରଥୀ। ଜେଲ୍ ୱାର୍ଡରେ ରହି ଚିକିତ୍ସିତ ହେବେ।