ମହିଳା ଖବରଦାତାଙ୍କୁ ଦୁର୍ବ୍ୟବହାର ଘଟଣା: ସିସିଟିଭି ଫୁଟେଜ ନ ପାଇ ଅନୁଭବଙ୍କ ଘରୁ ଫେରିଲା ପୋଲିସ

କଟକ ଅଫିସ,୧୬।୬: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସାନଭାଇ ଅନୁପ୍ରାସ ମହାନ୍ତି ଜଣେ ମହିଳା ଖବରଦାତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଶୁକ୍ରବାର ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା(ନଂ.୧୧୩/୧୯) ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି। ଶନିବାର ପୋଲିସ ଅନୁଭବଙ୍କ ଘର ପାଖ ପଡୋଶୀଙ୍କୁ ପଚରାଉଚରା କରିଛି। ହେଲେ ଅନୁଭବଙ୍କ ପାଖରେ ସିସିଟିଭି ଫୁଟେଜ୍‌ ନାହିଁ। ତାଙ୍କ ଘରେ ଲାଗିଥିବା ସିସିଟିଭି ଖରାପ ହୋଇଯାଇଛି ବୋଲି ପୁରୀଘାଟ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ କହିଛନ୍ତି। ଶନିବାର ପୋଲିସ ସିସିଟିଭି ଯାଞ୍ଚ ପାଇଁ ଅନୁଭବଙ୍କ ଘରକୁ ଯାଇଥିବା ବେଳେ ତାଙ୍କର ସିସିଟିଭି ଖରାପ ହୋଇଯାଇଥିବା ପୋଲିସ ଜାଣିବାକୁ ପାଇଥିଲା ବୋଲି ସେ କହିଛନ୍ତି।

Image result for anuvab mohanty

ଅଭିଯୋଗ ଅନୁଯାୟୀ, ମହିଳା ଖବରଦାତା ଜଣକ ପୁରୀଘାଟ ଥାନା ଅନ୍ତର୍ଗତ ଝାଞ୍ଜିରିମଙ୍ଗଳା ଅଞ୍ଚଳରେ ରହୁଥିବାବେଳେ ଏକ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିବାକୁ ପ୍ରତିଦିନ ଯାଉଥିଲେ। ହେଲେ କଟକ ନନ୍ଦୀସାହି ନିକଟରେ ଅନୁପ୍ରାସ ଏବଂ ତାଙ୍କର ସାଙ୍ଗମାନେ ତାଙ୍କୁ କମେଣ୍ଟ କରୁଥିଲେ। ୨୦୧୭ରୁ ଏଭଳି ଘଟଣା ଘଟି ଆସୁଥିବାବେଳେ ଗତ ୧୨ ତାରିଖରେ ମଧ୍ୟ ଏଭଳି ଘଟିଥିଲା। ଏ ସମ୍ପର୍କରେ ଅନୁଭବଙ୍କୁ ଜଣାଇବାକୁ ମହିଳା ଖବରଦାତା ଜଣକ ତାଙ୍କ ସାଙ୍ଗକୁ ନେଇ ଗତ ୧୨ ତାରିଖ ରାତିରେ ନନ୍ଦୀସାହିସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ସେ ପହଞ୍ଚି ନିଜର ଅଭିଯୋଗ କହିବା ପୂର୍ବରୁ ଅନୁଭବ ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରି କି ଅନୁଭବ ତାଙ୍କ ଉପରକୁ ଛେପ ପକାଇଥିବା ନେଇ ସେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ହେଲେ ଏ ସମ୍ପର୍କରେ ଅନୁଭବ ତାଙ୍କ ବାସଭବନରେ ଖବରଦାତା ସମ୍ମିଳନୀ ଡାକି କହିଥିଲେ, ଏଭଳି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ମହିଳା ଜଣକ କାହା ଇଙ୍ଗିତରେ ଅବା କୌଣସି ଖରାପ ମନୋଭାବ ନେଇ ଏଭଳି ଅଭିଯୋଗ କରିଛନ୍ତି।

error: Content is protected !!