‘ମାଆ’ । ଏହି ଶବ୍ଦ ପାଟିରେ ନ ଧରିଲେ ସତେ ଯେପରି ଆମ ଦିନ ଆରମ୍ଭ ହୁଏ ନାହିଁ। ସକାଳୁ ରାତିଯାଏ କେତେଥର ଯେ, ଆମେ ଏହି ଶବ୍ଦ ପାଟିରେ ଧରିଥାଉ, ତାହାର ହିସାବ କାହା ପାଖରେ ନ ଥିବ। ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ।
ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ତପସ୍ୟା, ଅବଦାନ, ବଳିଦାନକୁ ସମ୍ମାନ ଦେବାକୁ ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରକୁ ‘ମଦର୍ସ ଡେ’ ଭାବେ ପାଳନ କରାଯାଏ।
କୁହାଯାଏ ମାଆର ଋଣ ମରିବା ଯାଏ ଜଣେ ଶୁଝି ପାରିବ ନାହିଁ। ମାଆର ଭଲ ପାଇବା, ତ୍ୟାଗ, ଓ ତପସ୍ୟା ବଦଳରେ ଆମେ କିଛି ବି କଲେ ତାହା ବହୁତ କମ୍ ହେବ। ଆମକୁ ଏ ଦୁନିଆକୁ ଆଣିଥିବା ଓ ସମାଜରେ ଛିଡ଼ା କରାଇବାକୁ ନିଜକୁ ତିଳ ତିଳ ଜାଳିଥିବା ମାଆ ପ୍ରତି ସମ୍ମାନ ଓ ଭଲ ପାଇବା ଜାହିର କରିବା ଲାଗି ସେମିତିରେ ତ କିଛି ବିଶେଷ ଦିନର ଆବଶ୍ୟକତା ନାହିଁ। କିନ୍ତ ‘ମଦର୍ସ ଡେ’ ଆମକୁ ନିଜ ଭାବନା ଜାହିର କରିବାକୁ ଏକ ବାହାନା ଓ ସୁଯୋଗ ଦେଇଥାଏ।
ତେଣୁ ପ୍ରତି ବର୍ଷ ମେ’ର ଦ୍ୱିତୀୟ ରବିବାରକୁ ଦୁନିଆ ସାରା ‘ମଦର୍ସ ଡେ’ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ମେ ୧୨କୁ ‘ମଦର୍ସ ଡେ’ ଭାବେ ପାଳନ କରାଯାଉଛି। ମା’କୁ ସମ୍ମାନ ଦେଉଥିବା ଏହି ଦିନକୁ ବହୁ ଦେଶ ଭିନ୍ନ ଭିନ୍ନ ତାରିଖରେ ପାଳନ କରିଥାନ୍ତି। କିନ୍ତୁ ଭାରତ ସମେତ ବହୁ ଦେଶରେ ମେର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ଭାବେ ପାଳନ କରାଯାଏ।