NEWS TODAY :ସୁପ୍ରିମକୋର୍ଟ ଏବଂ ହାଇକୋର୍ଟରେ ପଡିରହିଥିବା ମାମଲାର ତ୍ୱରିତ ବିଚାର ପାଇଁ ବିଚାରପତିମାନଙ୍କୁ ନିଯୁକ୍ତି କରାଯାଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ଚିଠି ଲେଖିଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ସେ ଆହୁରି ମଧ୍ୟ କହିଛନ୍ତି ପୁରୁଣା ପରମ୍ପରା ଅନୁସାରେ ଅବସରପ୍ରାପ୍ତ ବିଚାରପତିମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଉ । ତେବେ ଯାଇ ବର୍ଷ ବର୍ଷ ଧରି ପଡିରହିଥିବା ଲକ୍ଷାଧିକ ମାମଲାର ତ୍ୱରିତ ବିଚାର ହୋଇପାରିବ ଏବଂ ନ୍ୟାୟ ପ୍ରଦାନ କରାଯାଇପାରିବ ।
ସୁପ୍ରିମକୋର୍ଟ ଏବଂ ଉଚ୍ଚ ନ୍ୟାୟାଳୟରେ ପଡିରହିଥିବା ୪୩ ଲକ୍ଷରୁ ଅଧିକ ମାମଲାର ସମାଧାନ ପାଇଁ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩ଟି ଚିଠି ଲେଖିଛନ୍ତି । ପ୍ରାଥମିକତାର ସହିତ ଦୁଇଟି ସାମ୍ବିଧାନିକ ସଂଶୋଧନ ପାଇଁ ମୁଖ୍ୟ ବିଚାରପତି, ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟ ବିଚାରପତିଙ୍କ ଏହି ଦୁଇଟି ଅନୁରୋଧ ହେଲା, ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟାରେ ବୃଦ୍ଧି କରାଯାଉ । ଏହି ସଂଖ୍ୟା ବର୍ତମାନ ୩୧ ରହିଛି । ଏହାକୁ ବଢାଇବା ପାଇଁ ସେ କହିଛନ୍ତି । ଏଥିସହ ବିଚାରପତିମାନଙ୍କର ଅବସର ବୟସସୀମାକୁ ୬୨ରୁ ବଢାଯାଇ ୬୫ବର୍ଷ କରାଯାଉ ।