ରଣପୁର, 24/7 ବର୍ଷା ଅଭାବରୁ ରଣପୁର ବ୍ଲକ ଅଂଚଳରେ ଜମି ଫାଟି ଆଁ କଲାଣି । ବର୍ଷା ପାଇଁ ଚାଷୀମାନେ ବିଭିନ୍ନ ପୂଜା ପଦ୍ଧତି କରିବାରେ ଲାଗି ପଡିଛନ୍ତି। ତଥାପି ଇନ୍ଦ୍ରଦେବଙ୍କ କୋପ ଚାଷୀଙ୍କ ଉପରୁ ଦୂର ହଉନି । ସରକାର ଚାଷ ପାଇଁ ଗୁରୁତ୍ୱ ଦେଉଥିବା ବେଳେ ଏଠାରେ କେନାଲରେ ପାଣି ନାହିଁ । ବୋରୱେଲ ଥିଲେ ବି କାମ କରୁନି l ସେହିଭଳି ଚେକ ଡ୍ୟାମ ଅବସ୍ଥା ନ କହିଲେ ଆହୁରି ଭଲ । ଏ ଭଳି ସ୍ଥିତିରେ ଚାଷୀର ଭରସା ହେଉଛି ବର୍ଷା ଜଳ । ହେଲେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷ କାର୍ଯ୍ୟରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି । ଯେଉଁ ସମୟରେ ଧାନ କ୍ଷେତରେ ବେଉଷଣ କରିବା କଥା ସେହି ସମୟରେ ଚାଷୀ ହାତ ବାନ୍ଧି ବସିଛି । ଏ ଭଳି ପରିସ୍ଥିତି ଚାଷୀମାନଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହି ବ୍ଲକରେ ସମୁଦାୟ 20 ହଜାର 227 ହେକ୍ଟର ଚାଷ ଜମି ରହିଛି । ଚାଷୀମାନେ ଧାନ ଚାଷ ପାଇଁ ମୁଖ୍ୟତ ବର୍ଷା ଜଳ ଉପରେ ନିର୍ଭର କରି ଥାନ୍ତି । ଯେଉଁ ବର୍ଷ ବର୍ଷା ଭଲ ହୁଏ ସେହି ବର୍ଷ ଚାଷ କାମ ମଧ୍ୟ ଭଲ ହୁଏ । ଜଳ ସେଚନର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚେକ ଡ୍ୟାମ, ବନ୍ଧ ଆଦି ନିର୍ମାଣ କରିଛନ୍ତି, ହେଲେ ଚାଷୀମାନେ ସେଥିରୁ କିଛି ସୁଫଳ ପାଉ ନ ଥିବାର ଦେଖିବାକୁ ମିଳୁଛି । ଆହୁରି ମଧ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ବୋରୱେଲ ଖୋଳା ଯାଇଛି ।ସେଥି ମଧ୍ୟରୁ କେଉଁଠି ବିଦ୍ୟୁତ ସଂଯୋଗ ନାହିଁ ତ କେଉଁଠି ଅନ୍ୟ କେଉଁ କାରଣ ପାଇଁ ସେଗୁଡିକ ଅଚଳ ଅବସ୍ଥାରେ ପଡି ରହିଛି, ଯାହା ଫଳରେ ସେଗୁଡିକ ଚାଷୀମାନଙ୍କ କାମରେ ଆସୁନି । ସମୁଦ୍ରକୁ ଶଙ୍ଖେ ଭଳି ବ୍ଲକର ମାତ୍ର ଅଳ୍ପ କିଛି ଜମିରେ ଜଳ ସେଚନର ସୁବିଧା ରହିଛି । ଚଳିତ ବର୍ଷ ଅଳ୍ପ କିଛି ଜମିରେ ଧାନ ରୁଆ ହୋଇଥିଲା ବେଳେ ଅଧିକ ଜମିରେ ଧାନ ବୁଣା ଚାଲିଛି । ଅକ୍ଷି ତୃତୀୟା ଠାରୁ ଅକ୍ଷି ମୁଠି ଆରମ୍ଭ କରି ଚାଷୀମାନେ ଧାନ ବୁଣି ଥିଲେ। ମାତ୍ର ବର୍ଷା ଅଭାବରୁ ଧାନ ଗଜା ନ ହୋଇ ଧାନ ମଞ୍ଜିଗୁଡିକ ନଷ୍ଟ ହୋଇଗଲାଣି। ଯେଉଁଠି ଗଜା ବାହାରିଥିଲା ପାଣି ଅଭାବରୁ ସେଥି ଜମି ଫାଟି ଆଁ କଲାଣି ।ବର୍ଷା ପରିମାଣ ଦେଖିଲେ ଜୁନ 2018ରେ ଏହି ଅଂଚଳରେ 164.4 ମିଲିମିଟର ବର୍ଷା ହୋଇଥିବା ବେଳେ 2019ରେ ତାହା 85.00 ମିଲିମିଟର ସୀମିତ ରହିଛି । ଚଳିତ ବର୍ଷ କେତେ କମ ପରିମାଣର ବର୍ଷା ହୋଇଛି ତାହା ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ଜଣାପଡୁଛି।
ଏ ସମ୍ପର୍କରେ ରଣପୁର କୃଷି ବିଭାଗର ଅଧିକାରିଣୀ ରାଜଶ୍ରୀ ସାହୁଙ୍କୁ ପଚାରିବାରୁ ସେ କୁହନ୍ତି ଅଗଷ୍ଟ ସେପ୍ଟେମ୍ବର ମାସରେ ଭଲ ବର୍ଷା ହେଲେ ଧାନ ଫସଲ ଭଲ ହେବ । ଯଦି ବର୍ଷା ନ ହେବ ତେବେ ଧାର କରଜ କରି କରିଥିବା ଫସଲ ନଷ୍ଟ ହେବ ବୋଲି ଅଞ୍ଚଳର ଚାଷୀମାନେ କହିଛନ୍ତି ।
ରଣପୁର ରିପୋର୍ଟର