ସରକାରୀ କାଗଜରେ ଭୂତ ଦେଲା ଟିପଚିହ୍ନ: ଟଙ୍କା ଆଣି ଆତ୍ମସାତ୍ କଲେ ବାବୁ

ମୟୁରଭଞ୍ଜ: ମୃତ ବ୍ୟକ୍ତିଙ୍କ ନାମରେ କୂଅ ଖନନର କାର୍ଯ୍ୟାଦେଶ ଆଣି ଲକ୍ଷେରୁ ଅଧିକ ଟଙ୍କା ହେରଫେର୍ ହୋଇଥିବା ଅଭିଯୋଗ ହୋଇଛି। ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ବଡ଼ଖମାଡ଼ି ଗ୍ରାମର ବାସନ୍ତି ବେହେରାଙ୍କ ସ୍ୱାମୀ ଭଗବାନ ବେହେରାଙ୍କ ନାମରେ ଆସିଛି ଏହି ୱାର୍କ ଅର୍ଡର୍।

ଗତ ୨୦୧୫ ମସିହାରେ ଭଗବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୭ରେ ତାଙ୍କୁ ଏକ ଡକ୍‌ୱେଲ୍ ବା କୂଅ ମିଳିଥିବାର ସରକାରୀ କାଗଜକଲମରେ ଦର୍ଶାଯାଇଛି। ଆଉ ଏଥିପାଇଁ ୧ ଲକ୍ଷ ୧୪ ହଜାର ୬୯୬ ଟଙ୍କାର ବିଲ୍‌ ମଧ୍ୟ ହୋଇଛି। ଆଶ୍ଚର୍ଯ୍ୟର କଥା ହେଉଛି, ସରକାରୀ କାଗଜପତ୍ରରେ ମୃତ ଭଗବାନଙ୍କ ଟିପ ଚିହ୍ନ ମଧ୍ୟ ରହିଛି। ହେଲେ ଏ ସମ୍ପର୍କରେ ଖୋଦ ମୃତ ଭଗବାନଙ୍କ ପତ୍ନୀ ବାସନ୍ତି କିଛି ଜଣାନଥିବା କହିଛନ୍ତି।

୪ ବର୍ଷ ପୂର୍ବରୁ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଟିପ ଚିହ୍ନ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ବାସନ୍ତି।  ମୃତ ବ୍ୟକ୍ତିଙ୍କ ନାମରେ ବିଲ୍ କରି ସରକାରୀ ବାବୁମାନେ ଲକ୍ଷେ ଲକ୍ଷେ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି। ତେବେ ଏନେଇ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କପ୍ତିପଦା ବିଡିଓ କହିଛନ୍ତି।

error: Content is protected !!