ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶେଷ ହୋଇଛି ମତଦାନ ପ୍ରକ୍ରିୟା । ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ଆଜି ଭୋଟଗ୍ରହଣ ହୋଇଛି । ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇସାରିଛି । ତେବେ ମତଦାନ ପରେ ଆରମ୍ଭ ହୋଇଛି ନେତାଙ୍କ ବୟାନବାଜି ।ସରିଲା ମତଦାନ, ଆରମ୍ଭ ହେଲା ବୟାନବାଜି । ମତଦାନ ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି, ବିଜେପି ଓ ବିଜେଡି ନିର୍ବାଚନରେ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ରାଜ୍ୟବାସୀ ନିଶ୍ଚିତ ଭାବେ କଂଗ୍ରେସକୁ ଭରସା କରିବେ । ଚଳିତ ନିର୍ବାଚନରେ ଓଡିଶାରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରିବ ବୋଲି ଦମ୍ଭୋକ୍ତି ବାଢିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, କଂଗ୍ରେସକୁ ବିପୁଳ ସଫଳତା ମିଳିବ ।ସେହିପରି କଂଗ୍ରେସ ବଂଶବାଦ ରାଜନୀତି କରୁଥିବା ନେଇ ଯେଉଁ ଚର୍ଚ୍ଚା ଓ ଆଲୋଚନା ହେଉଥିଲା, ସେନେଇ ମଧ୍ୟ ଜବାବ ରଖିଛନ୍ତି ନିରଞ୍ଜନ । ସେ କହିଛନ୍ତି, କେବଳ କଂଗ୍ରେସରେ ନୁହେଁ, ସବୁ ଦଳରେ ବଂଶବାଦ ରାଜନୀତି ଚାଲିଛି । ତେବେ ଚଳିତ ନିର୍ବାଚନରେ ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢୁଛନ୍ତି ପିସିସି ସଭାପତି । ଭଦ୍ରକ ଭଣ୍ଡାରିପୋଖରି ଏବଂ କେନ୍ଦୁଝର ଘଷିପୁରା ଆସନରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ନିରଞ୍ଜନ । ତେବେ ସେ କହିଛନ୍ତି, ଏହି ଦୁଇଟି ନିର୍ବାଚନ ମଣ୍ଡଳୀର ଲୋକଙ୍କ ମତକୁ ସମ୍ମାନ ଦେଇ ସେ ନିର୍ବାଚନ ଲଢୁଛନ୍ତି । ଆଜି ଘଷିପୁରାରେ ନିର୍ବାଚନ ଶେଷ ହୋଇଥିବା ବେଳେ, ଆସନ୍ତା ୨୯ ତାରିଖ ତଥା ଶେଷ ପର୍ଯ୍ୟାୟରେ ଭଣ୍ଡାରିପୋଖରୀରେ ନିରଞ୍ଜନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ।