ବେଳ କାଳ ଶୁଙ୍ଘି ପାଗ ଯୋଗ ଉଣ୍ଡି ଓର ଦରାଣ୍ଡି, ସକାଳେ ବୋପା, ବେଳ ବୁଡ଼େ ମଉସା, ସଞ୍ଜବେଳେ ପିଉସା ତ ଆଉ ରାତି ଘଡ଼ିଏକୁ ସିଏ କିଏ ମୁଁ ଚିହ୍ନି ନାହିଁ, କହୁଥିବା ଏ ଧୋବଧାଉଳିଆ ଲୋକ, ସବୁବେଳେ ସବୁତକ ଲୁଟ୍ ପାଟ୍ କରି ନେବାପାଇଁ ନଶର ପଶର – ଆଜିକାଲି ନେତା।
ସିଏ ଗାଁ’ର ହଉ କି ମାଟିର ହଉ କିମ୍ବା ଆଉ କୋଉ ଜିଲ୍ଲାର ହଉ। ସବୁ ସସୁରପୁଅ ଗୋଟିଏ ଭାଡ଼ିର ପାରା। ଆଜି ଯିଏ ତୋ ଦୁଆରେ ହଲହଲ। ତୋତେ ଓଳଗି କରି, ତୋ ପିଣ୍ଢାରେ ବସି ତୋ ହାଣ୍ଡିରୁ ବାସି ତୋରାଣି ପିଇ ତୋ ଛୁଆକୁ କାଖେଇ ଗେଲକରି, ଖୁସିରେ ଗଦଗଦ ହେଇ ଯାଉଛି – ଅକାଳେ ସକାଳେ, କାଲି ତା ଦରଶନ ତୋ ପାଇଁ ସାତ ସପନ। ଭୋଟ୍ ସରିଗଲେ ତୁ କିଏ ନା ସେ କିଏ? ତା ଦୁଆର ତୋ ପାଇଁ ଏ ଜନମରେ ଅପହଞ୍ଚ ହେଇଯିବ। ତା ବିଲାତି କୁକୁର ତୋତେ ଦେଖି ଭୁକିବ। ତା ଚପରାସୀ ଜମାଦାର ଚେଲା ଚାମୁଣ୍ଡା – ତୋତେ ଦୁର୍ ଦୁର୍ ମାର୍ ମାର୍ କରିବେ, ପାହାଚ ଉଠେଇବେନି। କେତେ କାକୁତି ବିନତି ହେବୁ, ଶେଷରେ ମନ କଥା ମନରେ ମାରି, ପଥ ବିଚାରି ପିତା ଘର ବାହୁଡ଼ିବୁ। ଆଉ କେବେ ସେ ସ… ନେତାଙ୍କ ଦୁଆର ମାଡ଼ିବା ତ ଦୁର କଥା ଅନେଇବାକୁ ବି ଇଚ୍ଛା ହେବନି।
ଗାଁର, ମାଟିର, ନଈ ସେପାରି ଜିଲ୍ଲାର ହଉ କି ନହଉ – ବାହାପିଆ ଘରଭଙ୍ଗା ଦଲାରି ନହଉ, ମଣିଷଟା ହେଇଥାଉ। କାଲି ଯିଏ ବିଦେଶୀଙ୍କୁ ଆଣି ଘରେ ପୁରେଇ, ବୋପା ଡାକି, ତାଙ୍କଠୁ ଖାଇ, ତାଙ୍କ ଗାଡ଼ିରେ ବୁଲି ତାଙ୍କ ପାଇଁ ପ୍ରଚାର କରୁଥିଲା। ଆଜି ନିଜକୁ ନିଜେ ଭୋଟ୍ ପାଇଁ ମାଟିର ପୁଅ ପାର୍ଟିର ପୁଅ କହି ଭୋଟ୍ ମାଗୁଛି।
ଦେଖି ଚାହିଁ, ଭାବିଚିନ୍ତି ଭୋଟ୍ ଦେଇଥିଲେ ପାଇବୁ, ତୋ’ର, ଗାଁର ଆଉ ଦେଶର ହିତ ହବ। ନହେଲେ ନାମ ନବୁ, ଆଉ ଥିବ ଯେ ଖାଇବୁ। ଥରେ ହୁଡ଼ିଲେ ପାଞ୍ଚ ବରସ। ଚୋର ମା କାନ୍ଦିଲା ଭଳିଆ କବାଟ କଣରେ ବାହୁନି ବାହୁନି କାନ୍ଦୁଥିବୁ।
Gopal Chandra Sahoo.(NEWS TODAY)