ଭୁବନେଶ୍ୱର (NEWS TODAY) : ଓଡ଼ିଆ ପ୍ରବାସୀ ଶ୍ରମିକମାନଙ୍କୁ ବାହାର ରାଜ୍ୟକୁ ନେବାକୁ ଓଡ଼ିଶାରୁ ତିନି ଯୋଡ଼ା ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ଚଳାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଅନୁରୋଧ କରି ଚିଠି ଲେଖିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ପ୍ରବାସୀ ଶ୍ରମିକମାନଙ୍କ ଜୀବିକା ପାଇଁ ରାଜ୍ୟରୁ ଅହମ୍ମଦାବାଦ ଓ ସୁରତ ସମେତ ୩ଟି ସ୍ଥାନକୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏ ନେଇ ନିଜେ ଶ୍ରୀ ପ୍ରଧାନ ଟ୍ବିଟ୍ କରି ଜଣାଇଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଧନ୍ୟବାଦ ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଆସନ୍ତା ସେପ୍ଟେମ୍ବର ୧୨ ତାରିଖରୁ ଓଡ଼ିଶାରୁ ଏହି ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ପୁରୀରୁ ଅହମ୍ମଦାବାଦ, ପୁରୀରୁ ଗାନ୍ଧୀଧାମ ଓ ପୁରୀରୁ ଓଖାକୁ ଯାତ୍ରା ଆରମ୍ଭ କରିବ। ଏହି ସୁବିଧା ବିଭିନ୍ନ ରାଜ୍ୟରେ କାମ କରୁଥିବା ଓଡ଼ିଆଙ୍କୁ କର୍ମକ୍ଷେତ୍ରକୁ ପୁଣି ଥରେ ଫେରିବାରେ ସାହାଯ୍ୟ କରିବ। ଏହାଦ୍ବାରା ସେମାନେ ନିରାପଦରେ ଯାତ୍ରା କରିପାରିବେ।
ପ୍ରକାଶଥାଉକି, ଦେଶ ଅର୍ଥନୀତିର ପୁନରୁଦ୍ଧାର ଓ ପ୍ରବାସୀଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଗୁଜୁରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁଣି ଥରେ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଚାଲୁ କରିବା ପାଇଁ ଗତ ୭ ତାରିଖରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ରେଳ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ଗଞ୍ଜାମ ଜିଲ୍ଲାର ଅନେକ ପ୍ରବାସୀ ଓଡ଼ିଆ ଗୁଜୁରାଟ ଓ ଅନ୍ୟ ରାଜ୍ୟକୁ ରେଳ ସେବା ଚାଲୁ କରିବା ପାଇଁ ତାଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ରାଜ୍ୟରେ କାମଧନ୍ଦା ମିଳୁନଥିବା ନେଇ ଶ୍ରମିକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଥିଲେ। ସାରା ଦେଶରେ ଲକ୍ ଡାଉନ୍ ପ୍ରତ୍ୟାହାର ହେବା ପରେ କାମ କରୁଥିବା ଲୋକମାନଙ୍କୁ ପୁଣି ଥରେ ଟ୍ରେନ୍ ଯୋଗେ ପହଞ୍ଚାଇବାର ଆବଶ୍ୟକତା ରହିଛି। ମୋସୁମୀ ଋତୁ ଥିବାରୁ ସଡ଼କ ପଥରେ ଦୂର ବାଟ ଯାତ୍ରା କରିବା ସେମାନଙ୍କ ପାଇଁ ନିରାପଦ ନୁହେଁ ବୋଲି ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଥିଲେ।