ଲିଡସ୍: ଚଳିତ ବିଶ୍ୱକପ୍ ରେ ପାକ୍ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ଅନୁଷ୍ଠିତ ମ୍ୟାଚ୍ ଥିଲା ସବୁଠୁ ରୋମାଞ୍ଚକର। ବିଜୟ ପାଇଁ ପାକ୍ ଟିମ୍ ‘କର ଅବ ମର’ ନୀତି ଆପଣେଇଥିବା ବେଳେ ନଛୋଡ ବନ୍ଧା ଥିଲେ ଆଫଗାନ । ଯଦିଓ ଆଫାଗାନ ଟିମ୍ ବିଶ୍ୱକପ୍ ଦୌଡରୁ ବାଦ ପଡିସାରିଲାଣି, ତଥାପି ମୈଦାନରେ ପାକିସ୍ତାନକୁ ଅଟକାଇବାକୁ ଖୁବ୍ ଉଦ୍ୟମ କରିଥିଲା। ତେବେ ଫଳାଫଳ ପରେ ଯାହା ଘଟିଛି ତାହା କାହାକୁ ଅଛପା ନାହିଁ। ହେଲେ ମ୍ୟାଚ୍ ଦେଖୁଥିବା ପୂର୍ବତନ ପାକ୍ କ୍ରିକେଟର ୱାସିମ ଆକ୍ରମଙ୍କ ପତ୍ନୀ ସାନିରା ଆକ୍ରମ ଟ୍ୱିଟ୍ ରେ ଯାହା ଉଲ୍ଲେଖ କରିଛନ୍ତି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ମ୍ୟାଚ୍ ‘ସ୍ୱାସ୍ଥ୍ୟପକ୍ଷେ ହାନିକାରକ’ ବୋଲି ଉଲ୍ଲେଖ କରିଛନ୍ତି ସାନିରା।
ବାସ୍ତବିକ ପାକ୍-ଆଫଗାନ ମ୍ୟାଚ୍ କିନ୍ତୁ ସଂଘର୍ଷପୂର୍ଣ୍ଣ ଥିଲା। ଟିମ୍ ଜିତି ସେମିରେ ସ୍ଥାନ ପାଉ ବୋଲି ପ୍ରତ୍ୟେକ ପାକିସ୍ତାନୀ ଆଶାବାନ୍ଧି ବସିଥିଲେ। କେବଳ ସେହି ଆଶାରେ ଶେଷ ପର୍ଯ୍ୟନ୍ତ ଲୋକେ ଟେଲିଭିଜନ ଆଗରୁ ହଟିନଥିଲେ। ତେବେ ମ୍ୟାଚ୍ ଚୂଡାନ୍ତ ପର୍ଯ୍ୟାୟରେ ପାକିସ୍ତାନ ପାଇଁ ଗୋଟିଏ ଗୋଟିଏ ବଲ୍ ଦର୍ଶକଙ୍କ ନିଶ୍ୱାସ ପ୍ରଶ୍ୱାସ ଅଟକାଇ ଦେଉଥିଲା। ବେଶ ସମୟ ଧରି ଲାଗି ରହୁଥିଲା ସସପେନ୍ସ, ତଥାପି ନିଶ୍ଚଳ ବସି ଖେଳର ଗତିକୁ ଦଖୁଥିଲେ ଲୋକେ। ଖେଳ ଶେଷରେ ଦୀର୍ଘନିଶ୍ୱାସ ପକାଇଥିଲେ ସାନିରା। ଦଳର ବିଜୟ ତାଙ୍କୁ ଆଶ୍ୱସ୍ତ କରିଥିଲା ସତ ହେଲେ ଏଭଳି ଖେଳ ଦେଖିବା ବିପଦଜନକ ବୋଲି କହିଥିଲେ।ଏହି ମ୍ୟାଚ୍ ପରେ ଷ୍ଟାଡିୟମ ଭିତରେ ଓ ବାହାରେ ଆଫଗାନ ଏବଂ ପାକ୍ ସମର୍ଥକଙ୍କ ମଧ୍ୟରେ ଭିଷଣ ଝଗଡା ହୋଇଥିଲା। ହେଲେ ଏତିକିରେ ଥମିନି ଲୋକଙ୍କ ରାଗମ । ଏବେ ଦୁଇ ଦେଶର ସମର୍ଥକ ପରସ୍ପରକୁ ସୋସାଲ ମିଡିଆରେ ଟାର୍ଗେଟ୍ କରୁଛନ୍ତି। ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ମ୍ୟାଚ୍ ଅନୁଷ୍ଠିତ ହୋଇଛି। କେଉଁଥିରେ ଭାରତ ଜିତିଛି ତ କେଉଁଥିରେ ପାକ୍। ତେବେ କେବେ ହେଲେ ବି ଷ୍ଟାଡିୟମ ଭିତରେ କି ବାହାରେ ଦର୍ଶକ ହାତାହାତି ହେବାର ନଜିର ନାହିଁ ବୋଲି ସୋସାଲ ମିଡିଆରେ ଅନେକ କ୍ରିଡା ପ୍ରେମୀ ଉଲ୍ଳେଖ କରୁଛନ୍ତି। ତେବେ ଆଫାଗନ ମ୍ୟାଚ ପର ପରିସ୍ଥିତି କିନ୍ତୁ ଡରେଇ ଦେଇଛି ପାକିସ୍ତାନୀଙ୍କୁ। ଏଣୁ ଆଫାଗନମାନେ କ୍ରିଡାକୁ ସମ୍ମାନ କରୁନଥିବା ଉଲ୍ଳେଖ କରୁଛନ୍ତି ଅନେକ ପାକ୍ କ୍ରିକେଟ୍ ପ୍ରେମୀ।