ଖୋର୍ଦ୍ଧା / ଭୁବନେଶ୍ୱର : ମାଟିରେ ମିଶିଛି ସୁରମ୍ୟ ଅଟ୍ଟାଳିକା। ସରକାରୀ ଜମି ସାଙ୍ଗକୁ ନିଶା ଓ ବେଆଇନ ପଥର ଖାଦାନ କାରବାରରୁ ମିଳୁଥିବା ଦୁଇ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଖୋର୍ଦ୍ଧା ଗୁରୁଜଙ୍ଗରେ ଏହି ଦାମିକା ଘର ଠିଆ କରିଥିଲା କଳା କାରବାରର କିଙ୍ଗପିନ୍ ଶୁଭ୍ରାଂଶୁ ଓରଫ୍ ଛୋଟା।
ପୁଲିସ ଏନକାଉଣ୍ଟର ଭୟରେ ସେ ଆତ୍ମସମର୍ପଣ କରିଥିବା ବେଳେ ଆଜି ତା କଳା କାରବାରର ସାମ୍ରାଜ୍ୟ ଉପରେ ବୁଲଡୋଜର ଚଢାଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ। ଏହି ବିରାଟକାୟ ଅଟ୍ଟାଳିକାରେ ୨୦ରୁ ଅଧିକ କୋଠରୀ ଥିବା ବେଳେ ଏହାର ସାଜସଜ୍ଜା ଥିଲା ଏକଦମ୍ ଚକାଚକ୍। ସୁଇମିଂ ପୁଲ ସହ ଏଠି ବିଳାସ ବ୍ୟସନର ସବୁ ବ୍ୟବସ୍ଥା କରାଯାଇଥିଲା
ତାସହିତ ଏଠାରୁ ବରୁଣେଇ ପାହାଡ଼ରୁ ଚୋରି ହୋଇଆସିଥିବା ମୂଲ୍ୟବାନ ଶାଗୁଆନ୍ ଗଛର ବହୁ ଗଣ୍ଡି ବି ଜବତ ହୋଇଛି।
ବେଆଇନ ନିଶା ଓ ଚୋରା ପଥର ଖାଦାନ କାରବାରର କିଙ୍ଗପିନ୍ ଭାବେ ଜଣାଶୁଣା ଛୋଟାର ଅପରାଧ ସାମ୍ରାଜ୍ୟ ବେଶ ଲମ୍ବା। ଏଥିପାଇଁ ତାର ଦୁଇଟି ସ୍ୱତନ୍ତ୍ର ଗ୍ୟାଙ୍ଗ ଥିଲା। ଦରମା ସୂତ୍ରରେ କର୍ମଚାରୀ ରଖି ସେମାନଙ୍କୁ ନିଜ ବେଆଇନ କାମରେ ଲଗାଉଥିଲା। ଗ୍ୟାଙ୍ଗ ମେମ୍ବରମାନଙ୍କୁ ଚୋରାରେ ବନ୍ଧୁକ ଆଣି ଦେବା ସହ ଦାମୀ ବାଇକ୍ ବି ଦେଉଥିଲା। ତେବେ ଏତେ ସବୁ ବେଆଇନ କାରବାର ପଛରେ କାହାର ଥିଲା ପୃଷ୍ଠପୋଷକତା। କାହାର ଛତ୍ରଛାୟା ତଳେ ସାମାନ୍ୟ ପରିବା ବେପାରୀରୁ କୋଟି କୋଟି ଟଙ୍କାର ମାଲିକ ହେଲା ଛୋଟା। ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଛୋଟାକୁ ରିମାଣ୍ଡରେ ଆଣି ତାର କଳା ସମ୍ରାଜ୍ୟର ଗୁମର ଖୋଲିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।
କେବଳ ଛୋଟା ନୁହେଁ ବିଭିନ୍ନ ଅପରାଧ କାର୍ଯ୍ୟକଳାପରେ ଲିପ୍ତ ଏଭଳି ୨୦ ଦୁର୍ଦ୍ଦାନ୍ତ ଅପରାଧି ଏବେ STF ସ୍କାନରରେ। ଖୁବ୍ ଶୀଘ୍ର ଏମାନଙ୍କ ପାଳି ପଡ଼ିବ ବୋଲି ସୂଚନା ମିଳିଛି।